ଭୁବନେଶ୍ୱର କିମ୍ବା ସହରାଞ୍ଚଳରେ ଘର କରିବା ହେବନି ସହଜ । ବିଲ୍ଡିଂ ପ୍ଲାନ ଅନୁମୋଦନ ପାଇଁ କଠୋର ନିୟମ ଆଣିବାକୁ ଯାଉଛନ୍ତି ସରକାର ।

249

କନକ ବ୍ୟୁରୋ: ଆପଣ ଭୁବନେଶ୍ୱରରେ ଘର ଖଣ୍ଡେ କରିବାକୁ ସ୍ୱପ୍ନ ଦେଖିଛନ୍ତି କି? ଏବେ ଏହା ଆଉ ସହଜ ହେବ ନାହିଁ । କାରଣ ସରକାର ଏବେ ଯେଉଁ ବିଲଣ୍ଡିଂ ପ୍ଲାନ ଅନୁମୋଦନ ପାଇଁ ଯେଉଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି, ସେଥିରେ ରହିଛି କଠୋର ସର୍ତ୍ତ । ରାସ୍ତା ଅଣଓସାରିଆ ଥିଲେ ରାସ୍ତା ପାଇଁ ଜମି ମାଲିକ ଗିଫ୍ଟ ଆକାରରେ ଜମି ଛାଡିବେ । ଏପଟେ ପ୍ଲାନ ପାଇଁ ବେଞ୍ଚମାର୍କ ମୂଲ୍ୟର ୧୫ ପ୍ରତିଶତ କମ୍ପାଉଣ୍ଡିଂ ଫି’ ଆକାରରେ ଦେବାକୁ ପଡିବ । ଯଦି ୧୨ ଶହ ସ୍କେ୍ୱୟାର ଫୁଟ ଘର କରିବାକୁ ଚାହୁଁଛନ୍ତି ତେବେ ୮ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡିବ ।

  • ଭୁବନେଶ୍ୱରରେ ଘର କରିବା ହେବନି ସହଜ
  • ପ୍ଲାନ୍ ଅନୁମୋଦନ ପାଇଁ ଗଣିବାକୁ ପଡ଼ିବ ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର ହେଉ କି ଅନ୍ୟ ସହର, ଏବେ ଘର କରିବା ସହଜ ହେବନି । କାରଣ ପ୍ଲାନ୍ ଆପ୍ରୁଭାଲ ପାଇଁ ସରକାର ଯେଉଁ କଠୋର ନିୟମ ଆଣିବାକୁ ଯାଉଛନ୍ତି, ସେଥିରେ ସାଧାରଣ ଲୋକ ଘର କରିବା ସ୍ୱପ୍ନ ହୋଇଯିବ । ଏ ନେଇ ଚିଠା ପ୍ରସ୍ତାବ ଆସିଛି, କୌଣସି ଅଭିଯୋଗ ନହେଲେ, ୧୫ ଦିନ ମଧ୍ୟରେ ଓଡ଼ିଶା ଗେଜେଟରେ ବିଜ୍ଞପ୍ତି ପ୍ରକାଶ ପାଇବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଚିଠା ପ୍ରସ୍ତାବରେ ଯାହା ଉଲ୍ଲେଖ ରହିଛି, ତାହା ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଘରର ପ୍ଲାନ ଅନୁମୋଦନ ପାଇଁ ଏଥିରେ ରହିଛି କଠୋର ସର୍ତ୍ତ । ମୋଟା ଆକାରରେ ଫି’ ଓ ଅଣ-ଓସାରିଆ ରାସ୍ତା ଥିଲେ ସରକାରଙ୍କୁ ରାସ୍ତା ପାଇଁ ଜମି ଗିପ୍ଟ ଆକାରରେ ଦେବା ଭଳି କଡ଼ା ନିୟମ ଆଣିବାକୁ ଯାଉଛନ୍ତି ସରକାର ।

କ’ଣ ରହିଛି ପ୍ଲାନ ଅନୁମୋଦନ ପାଇଁ ନୂଆ ନିୟମ?

  • ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପାଇଁ ଘର ସାମ୍ନାରେ ସର୍ବନିମ୍ନ ୯ ମିଟର ବା ୩୦ ଫୁଟ ରାସ୍ତା ଥିବା ଜରୁରୀ
  • ୬ ମିଟରରୁ ଅଧିକ ରାସ୍ତା ଥିଲେ ୯ ମିଟର ରାସ୍ତା କରିବା ପାଇଁ ଜମି ଛାଡିବେ ଜମି ମାଲିକ
  • ରାସ୍ତାର ଦୁଇ ପଟେ ଥିବା ଜମି ମାଲିକ ଅଧା ଅଧା ଜମି ଉପହାର ଆକାରରେ ଉନ୍ନୟନ କର୍ତ୍ତୃପକ୍ଷ କିମ୍ବା ପୌର ସଂସ୍ଥାକୁ ଦେବେ
  • କିନ୍ତୁ ଘର ନିର୍ମାଣ ପାଇଁ ଯେତିକି ରାସ୍ତା ପୂର୍ବରୁ ଥିବ ସେହି ଅନୁସାରେ ଫ୍ଲୋର ଏରିଆ ରେସିଓରେ ଘର ତିଆରି କରିବାକୁ ଅନୁମତି ମିଳିବ
  • ଜମି ମାଲିକଙ୍କୁ ଜମିର ବେଂଚ୍ ମାର୍କ ମୂଲ୍ୟର ୧୫ ପ୍ରତିଶତ କମ୍ପାଉଣ୍ଡ ଫି’ ବାବଦରେ ଦେବାକୁ ହେବ
  • ଏହାବାଦ ଦେବାକୁ ପଡିବ ଅନ୍ୟାନ୍ୟ ଫି’

ଭୁବନେଶ୍ୱରରେ ୧୨୦୦ ବର୍ଗଫୁଟର ଘର କରିବାକୁ ଚାହୁଁଥିଲେ, ଏହି ହିସାବ ଉପରେ ନଜର ପକାନ୍ତୁ…

  • ମନେ କରନ୍ତୁ ଜମିର ବେଞ୍ଚ୍ ମାର୍କ ମୂଲ୍ୟ ୨୫ ଲକ୍ଷ ଟଙ୍କା
  • ୧୫% କମ୍ପାଉଣ୍ଡ ଫି’ ଆକାର ଦେବାକୁ ହେବ ୩ ଲକ୍ଷ ୭୫ ହଜାର ଟଙ୍କା
  • ଜମିକୁ ମାତ୍ର ୨୦ ଫୁଟ ରାସ୍ତା ଥିଲେ ଗୋଟିଏ ପଟର ଜମି ମାଲିକଙ୍କୁ ରାସ୍ତା ପାଇଁ ୫ ଫୁଟ ଛାଡିବାକୁ ହେବ
  • ରାସ୍ତା ପାଶ୍ୱର୍ପଟ ୪୦ ଫୁଟ ହୋଇଥିଲେ ୨୦୦ ବର୍ଗଫୁଟ ଛାଡିବେ ଜମି ମାଲିକ
  • ଯାହାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ
  • ଆର୍କିଟେକ୍ଟ ଫି’, ଅନ୍ୟାନ୍ୟ ଖର୍ଚ୍ଚକୁ ହିସାବକୁ କଲେ ମୋଟ ୮ ଲକ୍ଷ ଟଙ୍କା ଟପିଯିବ

ରାଜ୍ୟ ସରକାର ଏଭଳି ଏକ କଠୋର ନିୟମ ଆଣିବାକୁ ଯାଉଥିବା ବେଳେ ବର୍ଷ ବର୍ଷ ଧରି ରାଜଧାନୀରେ ଘରଖଣ୍ଡେ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ମୁଣ୍ଡରେ ଚଡ଼କ ପଡିଛି । ଏହାକୁ ପ୍ରତ୍ୟାହାର କରିବାକୁ ଦାବି ଉଠିଛି ।