ମୋଦିଙ୍କ ଲକ୍ଷପତି ଯୋଜନା! ବିମୁଦ୍ରାକରଣ ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ୨ ଲକ୍ଷ ଟଙ୍କା ଜିତନ୍ତୁ
କନକ ବ୍ୟୁରୋ : ବିମୁଦ୍ରାୟନକୁ ଇତି ମଧ୍ୟରେ ଏକ ବର୍ଷ ପୂରି ସାରିଛି । ଗତବର୍ଷ ନଭେମ୍ବର ୮ ତାରିଖରେ ମୋଦି ସରକାର ବିମୁଦ୍ରାକରଣର ଘୋଷଣା କରିଥିଲେ । ପ୍ରଚଳିତ ପୁରୁଣା ୫୦୦ ଓ ୧୦୦୦ ଟଙ୍କାର ନୋଟକୁ ଅଚଳ ଘୋଷଣା କରିଥିଲେ ମୋଦି ।ସେତେବେଳେ ମୋଦି ସରକାରଙ୍କ ଏହି ନିଷ୍ପତିକୁ କିଛି ଲୋକ ବିରୋଧ କରିଥିବା ବେଳେ କିଛି ଲୋକ ସମର୍ଥନ ମଧ୍ୟ କରିଥିଲେ । କଳାଧନକୁ ବାହାର କରିବା, ଜାଲ ନୋଟ, ଆତଙ୍କବାଦ ଓ ମାଓବାଦକୁ ପ୍ରତିହତ କରିବା, ଦୁର୍ନୀତି ଉପରେ ଲଗାମ ଲଗାଇବା ପାଇଁ ନୋଟବନ୍ଦୀର ଆବଶ୍ୟକତା ରହିଛି ବୋଲି ମୋଦି ସେତେବେଳେ ସଫେଇ ଦେଇଥିଲେ । ବିମୁଦ୍ରାୟନକୁ ବିରୋଧୀ ଦଳ ପ୍ରବଳ ମାତ୍ରାରେ ବିରୋଧ କରିଥିଲେ । ତେବେ ଏହାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ମୋଦି ସରକାର । ନୋଟବନ୍ଦୀ ମୋଦି ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି ବୋଲି ଚାରିଆଡେ ପ୍ରଚାର କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନୋଟବନ୍ଦୀର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିଛନ୍ତି । ଏହି ପ୍ରତିଯୋଗିତାର ବିଜେତାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ଏହାଛଡା ଅନ୍ୟ ପୁରସ୍କାର ସ୍ୱରୂପ ଦ୍ୱିତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ଏକ ଲକ୍ଷ ଟଙ୍କା, ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କା ଓ ସାନ୍ତ୍ୱନାମୂଳକ ପୁରସ୍କାର ସ୍ୱରୂପ ୫ ଜଣଙ୍କୁ ୨୫ ହଜାର ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ମୋଦି ସରକାର । ସବୁ ବର୍ଗର ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ଏଥିପାଇଁ ଆପଣଙ୍କୁ http://mygov.in ଲିଙ୍କରେ ଆପ୍ଲାଇ କରିବାକୁ ପଡିବ । ଏହି ଲିଙ୍କରେ କ୍ଲିକ କରିବା ପରେ ପୁନଶ୍ଚ ଅନ୍ୟ ଏକ ଲିଙ୍କ https://www.mygov.in/task/combating-corruption-battling-black-money-competitions/ କ୍ଲିକ କରିବାକୁ ପଡିବ ।
ଏହି ପ୍ରତିଯୋଗିତାଟି ମୁଖ୍ୟତଃ ୪ଟି ବିଭାଗରେ କରାଯିବ । ପ୍ରତି ବିଭାଗର ପ୍ରତିଯୋଗିତା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି ।
ପ୍ରବନ୍ଧ ପ୍ରତିଯୋଗିତା : ଏହି ପ୍ରତିଯୋଗିତାର ପ୍ରଥମ ବିଭାଗ ହେଉଛି ପ୍ରବନ୍ଧ । ଯଦି ଆପଣ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ଥାଆନ୍ତି ତେବେ ବିମୁଦ୍ରାୟନ ଦ୍ୱାରା ସାଧାରଣ ଲୋକଙ୍କର କଣ ଫାଇଦା ହୋଇଛି ସେ ବିଷୟରେ ୧୨୦୦ ଶବ୍ଦରେ ଏକ ପ୍ରବନ୍ଧ ଲେଖିବାକୁ ପଡିବ । ଏହାଛଡା କଳାଧନ ଓ ଦୁର୍ନୀତି ବିରୋଧରେ ଲଢେଇରେ ବିମୁଦ୍ରାକରଣ କଣ ପ୍ରଭାବ ପକାଇଛି ତାହା ଉପରେ କିଛି ଲେଖିବାକୁ ପଡିବ । ଏସବୁ ବାଦ୍ ଦୁର୍ନୀତି ଓ କଳାଧନ ବିରୋଧରେ ଲଢେଇକୁ ଆହୁରି କିପରି ସଫଳ କରାଯିବ ସେ ନେଇ ସରକାରଙ୍କୁ ମତାମତ ଦେଇପାରିବେ । ପ୍ରବନ୍ଧଟି ଲେଖିବା ପରେ ଏହାକୁ ପିଡିଏଫ ଫର୍ମାଟରେ ସେଭ କରି ମାଇଁ ଗଭ ଡଟ ଇନ ସାଇଟରେ ଲଗଇନ କରି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ।
ଚିତ୍ରାଙ୍କନ : ପ୍ରବନ୍ଧ ପ୍ରତିଯୋଗିତା ପରି ଆଉ ଏକ ପ୍ରତିଯୋଗିତା ହେଉଛି ଚିତ୍ରାଙ୍କନ ପ୍ରତିଯୋଗିତା । ଏଥିରେ ଭାଗ ନେବାକୁ ଇଚ୍ଛୁକ ଥିବା ପ୍ରତିଯୋଗୀଙ୍କ ପାଇଁ କିଛି ନିୟମ ରହିଛି । କଳାଧନ ଓ ଦୁର୍ନୀତି ବିରୋଧ ଲଢେଇରେ ସରକାରଙ୍କ ଯୋଗଦାନକୁ ବିଭିନ୍ନ କିଏଟିଭ ଓ କାର୍ଟୁନ ଚିତ୍ର ପ୍ରସ୍ତୁତ କରିବା ଆବଶ୍ୟକ ।ଏହି ଚିତ୍ର ଗୁଡିକୁ ୪ ଏମବି ଫାଇଲର ସାଇଜ କରି ମାଇଁ ଗଭ ଡଟ ଇନ ସାଇଟରେ ଅପଲୋଡ କରି ପ୍ରତିଯୋଗିତରେ ଭାଗ ନେଇ ପାରିବେ ।
ଭିଡିଓ କ୍ଲିପ : ଏବେ ଅଧିକାଂଶ ଲୋକ ଫୋନରେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ତେବେ ଏହି ସୌକ ମାଧ୍ୟମରେ ଆପଣ ଲକ୍ଷପତି ମଧ୍ୟ ହୋଇପାରିବେ କଳାଧନ ଓ ଦୁର୍ନୀତି ବିରୋଧରେ ଲଢେଇରେ ସରକାର ସଫଳତା ହାସଲ କରିଛନ୍ତି କି ନାହିଁ ଏବଂ ଏହି ଲଢେଇକୁ ଆହୁରି କିପରି ଆଗକୁ ନିଆଯାଇପାରିବ ତାହା ଉପରେ ଏକ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବରେ ଅପଲୋଡ କରିବାକୁ ପଡିବ । ୟୁଟ୍ୟବ ଲିଙ୍କକୁ ମାଇଁ ଗଭ ଡଟ ଇନ ସାଇଟରେ ଅପଲୋଡ କରି ପାରିବେ । ସବୁ ଭିଡିଓ ମଧ୍ୟରୁ ଭଲ ଭିଡିଓକୁ ଚୟନ କରି ବିଜେତା ଘୋଷଣା କରାଯିବ । ତେବେ ଏହି ଭିଡିଓଟି ୫ ମିନିଟ ଅବଧିରୁ କମ ହେବା ଆବଶ୍ୟକ । ନଚେତ ଆପଣ ପ୍ରତିଯୋଗିତାରୁ ବାଦ ପଡିବେ ।
କବିତା : ଅନେକ ଲୋକ କବିତା ଲେଖିବାକୁ ପସନ୍ଦ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ପ୍ରତିଯୋଗିତାରେ କବିତାକୁ ମଧ୍ୟ ସାମିଲ କରାଯାଇଛି । କଳାଧନ ଓ ଦୁର୍ନୀତିକୁ ରୋକିବାକୁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ କବିତା ମାଧ୍ୟମରେ ବର୍ଣ୍ଣନା କରି ଏହାକୁ ଏକ ନୂଆ ରୂପ ଦେଇ ପାରିବେ । ଏହି କବିତାକୁ ପିଡିଏଫ ଫାଇଲରେ ସେଭ କରି ମାଇଁ ଗଭ ଡଟ ଇନ ସାଇଟରେ ଅପଲୋଡ କରିପାରିବେ । ତେବେ କବିତା ଲେଖିବା ପାଇର୍ କିଛି ନିଦ୍ଦିଷ୍ଟ ନିୟମ ରହିଛି । କବିତାଟି କେବଳ ଇଂରାଜୀ ଓ ହିନ୍ଦୀ ଭାଷାରେ ଳେଖା ହୋଇଥିବା ଆବଶ୍ୟକ । ଠିକ୍ ସେହିଭଳି କବିତାଟି ନିଜସ୍ୱ ହୋଇଥିବା ଆବଶ୍ୟକ । ଅନ୍ୟ କାହା କବିତା ଅପଲୋଡ କଲେ ଆପଣ ପ୍ରତିଯୋଗିତାରୁ ବାଦ ପଡିବେ ।
ଏହି ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ଆପଣଙ୍କୁ ୩୦ ନଭେମ୍ବର ପୂର୍ବରୁ ପ୍ରସ୍ତୁତ କରିଥିବା ଭିଡିଓ କ୍ଲିପ, ପ୍ରବନ୍ଧ, ଚିତ୍ରାଙ୍କନ ଓ କବିତାକୁ ମାଇଁ ଗଭ ଡଟ ଇନ ସାଇଟରେ ଅପଲୋଡ କରିବାକୁ ପଡିବ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ଶେଷ ତାରିଖ ହେଉଛି ୩୦ ନଭେମ୍ବର ୨୦୧୭ ।