ତେଲ ଉପରୁ ଟିକସ କମାଇବାକୁ ରାଜ୍ୟଗୁଡିକୁ କହିଲେ ମୋଦି । ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କ ଅପିଲ୍

148

କନକ ବ୍ୟୁରୋ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ବେଳେ ତେଲ ଉପରୁ ଭାଟ କମାଇବା ପାଇଁ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି ନରେନ୍ଦ୍ର ମୋଦୀ । ୬ ମାସ ବିଳମ୍ବ ହେଲେ ବି ରାଜ୍ୟ ସରକାରଗୁଡିକ ତେଲ ଉପରୁ ଟିକସ କମାଇବା ପାଇଁ ପଦକ୍ଷେପ ନେବା ପାଇଁ କହିଛନ୍ତି ମୋଦୀ । ଗତ ନଭେମ୍ବରରେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟିକୁ କମ କରିଥିଲେ । ଏହାପରେ କିଛି ରାଜ୍ୟ ବି ତେଲ ଉପରୁ ଭାଟ କମାଇଥିଲେ । କିନ୍ତୁ କିଛି ରାଜ୍ୟ ଏବେ ବି ଭାଟ କମାଇନାହାନ୍ତି ।

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଯୋଗୁଁ ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ମୁଦ୍ରାସ୍ଫିତି ହାର ରେକର୍ଡ ସ୍ତରରେ ପହଁଚିଛି, ଆଉ ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଏତିକିବେଳେ ଲୋକଙ୍କ ସୁବିଧା ପାଇଁ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀମାନଙ୍କୁ ଅପିଲ କରି ନୂଆ ଆହ୍ୱାନ ସୃଷ୍ଟି କରିଛନ୍ତି ।

ଗତ କିଛି ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ସର୍ବକାଳିନ ରେକର୍ଡ ସ୍ତରରେ ରହିଛି । ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୧୧୨ଟଙ୍କା ୬୮ ପଇସା ଓ ଡିଜେଲ ଦର ୧୦୨ଟଙ୍କା ୩୫ ପଇସା ରହିଛି । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି, ତେଲ ଦର ଏତେ ଟଙ୍କା ହେବା ପଛରେ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ଟିକସ ପ୍ରମୁଖ କାରଣ । କାରଣ ଏବେ ପେଟ୍ରୋଲ ଲିିଟର ପିଛା ମୂଳ ଦର ୫୭ ଟଙ୍କା ୪୯ ପଇସା ଓ ଡିଜେଲ ୫୯ ଟଙ୍କା ୮ ପଇସା ରହିଛି । କିନ୍ତୁ ଏକସାଇଜ୍ ଡ୍ୟୁଟି ବାବଦକୁ କେନ୍ଦ୍ର ପେଟ୍ରୋଲ ଉପରେ ଲିଟର ପିଛା ୨୭ଟଙ୍କା ୪୯ ପଇସା ନେଉଛି । ରାଜ୍ୟ ଭାଟ ବାବଦକୁ ୨୩ ଟଙ୍କା ୯୦ ପଇସା ଆଦାୟ କରୁଛନ୍ତି । ସେହିପରି ଡିଜେଲ ଉପରେ ଲିଟର ପିଛା ଏକସାଇଡ୍ ଡ୍ୟୁଟି ବାବଦକୁ କେନ୍ଦ୍ର ୨୧ଟଙ୍କା ୮୦ ପଇସା, ଓ ରାଜ୍ୟ ଭାଟ୍ ବାବଦରେ ୧୯ ଟଙ୍କା ୩୪ ପଇସା ନେଉଛନ୍ତି । ତେଲ ଦର ବୃଦ୍ଧି ପାଇବା ପରେ ଦରଦାମ ଆକାଶ ଛୁଆଁ ହୋଇଛି । ଯାହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଯେଉଁ ରାଜ୍ୟମାନେ ତେଲ ଉପରୁ ଭାଟ୍ କମାଇନାହାଁନ୍ତି, ସେମାନଙ୍କୁ କମାଇବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗତ ନଭେମ୍ବର ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ଟଙ୍କା ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ ଏବଂ ରାଜ୍ୟମାନଙ୍କୁ ସେମାନେ ନେଉଥିବା ଭାଟ୍ କମାଇବାକୁ ଚିଠି ଲେଖିଥିଲେ । ହେଲେ କେତେକ ରାଜ୍ୟ ତେଲ ଉପରୁ ଭାଟ୍ ହ୍ରାସ କରିଥିଲେ ବି ଆଉ କେତେକ ରାଜ୍ୟ ଭାଟ୍ କମାଇ ନାହାଁନ୍ତି । ତେଣୁ ୬ ମାସ ବିଳମ୍ବ ହୋଇଥିଲେ ବି ସଂଘୀୟ ବ୍ୟବସ୍ଥାରେ ଲୋକଙ୍କ ହିତ ପାଇଁ ଭାଟ କମାଇବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଅପିଲ କରିଛନ୍ତି ମୋଦି ।

କେନ୍ଦ୍ର ଏକସାଇଜ୍ ଡ୍ୟୁଟି କମାଇବା ପରେ ଓଡିଶା ସରକାର ଉଭୟ ପେଟ୍ରେଲ ଓ ଡିଜେଲ ଉପରୁ ୪ ପ୍ରତିଶତ ଭାଟ ହ୍ରାସ କରିଥିଲେ । କିନ୍ତୁ ବଜାର ବିଶେଷଜ୍ଞଙ୍କ କହିବା କଥା, ଏହା ଭିତରେ ତେଲ ଦର ବହୁତ ବଢ଼ି ଯାଇଛି । ଯାହାଫଳରେ ଟିକସର ପରିମାଣ ବି ବଢ଼ିଯାଇଛି । ତେଣୁ ଆର୍ଥିକ ସ୍ଥିତିକୁ ଠିକ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆହୁରି ଟିକସ କମାଇବାର ଆବଶ୍ୟକତା ରହିଛି । କରୋନାବେଳେ ପେଟ୍ରୋଲ ଓ ଡିଜେଲ ଉପରେ ଏକସାଇଜ୍ ଡ୍ୟୁଟି ବାବଦକୁ କେନ୍ଦ୍ର ସରକାର ୧୦ ଟଙ୍କା ଓ ୧୩ ଟଙ୍କା ବୃଦ୍ଧି କରିଥିଲେ । କିନ୍ତୁ କରୋନା ଚାଲିଗଲା ପରେ ବି କେନ୍ଦ୍ର ସରକାର ମାତ୍ର ୫ ଟଙ୍କା ଓ ୧୦ ଟଙ୍କା ହ୍ରାସ କରିଛନ୍ତି । ଅର୍ଥାତ କେନ୍ଦ୍ର ଆହୁରି ଏକସାଇଜ୍ ଡ୍ୟୁଟି କମାଇବାର ଆବଶ୍ୟକତା ରହିଛି । ସେହି ଅନୁପାତରେ ରାଜ୍ୟ ସରକାର ଭାଟ ବି କମାଇବା ଆବଶ୍ୟକ ।