୧୫୦ରୁ ଅଧିକ ଏମସ୍ ହସ୍ପିଟାଲ, ୩୫୦ରୁ ଅଧିକ ଷ୍ଟାଡିୟମ, ୧୧୨ଟି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଏଲନ୍ ମସ୍କ ଟୁଇଟରକୁ ଯେତିକି ଟଙ୍କାରେ କିଣିଲେ, ପଢନ୍ତୁ ସେତିକି ଟଙ୍କାରେ ନିର୍ମାଣ ହୋଇପାରିବ କଣ କଣ?

308

କନକ ବ୍ୟୁରୋ: ୪୪ ଆରବ ଡଲାର…ଭାରତୀୟ ମୁଦ୍ରାରେ ୩ ଲକ୍ଷ ୩୬ ହଜାର କୋଟି । ଯେତିକି ଟଙ୍କାରେ ବିଶ୍ୱର ନମ୍ବର ୱାନ୍ ଧନୀ ଏଲନ୍ ମସ୍କ ଟୁଇଟରକୁ କିଣିଛନ୍ତି, ସେତିକି ଟଙ୍କାରେ ଭାରତରେ ପ୍ରାୟ ୧୫୦ଟି ଏମସ୍ ହସ୍ପିଟାଲ ନିର୍ମାଣ ହୋଇପାରିବ । ତେବେ ଖାଲି ସେତିକି ନୁହେଁ, ଟୁଇଟରକୁ କିଣିଥିବା ଟଙ୍କା ଯଦି ଶ୍ରୀଲଙ୍କାରେ ଖର୍ଚ୍ଚ କରାଯାଏ ତେବେ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତି ସୁଧୁରିବା ସହିତ ସେ ସମ୍ପୂର୍ଣ୍ଣ ଭାବେ କରମୁକ୍ତ ହୋଇପାରିବ ।

ଭାରତରେ ଯଦି ଏଲନ୍ ମସ୍କ ସେତିକି ଟଙ୍କା ଖର୍ଚ୍ଚ କରନ୍ତି, ତେବେ ପ୍ରାୟ ୮୦ କୋଟି ଭାରତୀୟ ଦୀର୍ଘ ୨ ବର୍ଷ ପାଇଁ ମାଗଣାରେ ରାସନ୍ ପାଇପାରିବେ । ଆଉ ଶିକ୍ଷା କ୍ଷେତ୍ରରେ ସରକାର ୩ ଗୁଣା ଅଧିକ ଖର୍ଚ୍ଚ କରିପାରିବେ । ତେବେ ଏଲନ୍ ମସ୍କ ଯେତିକି ଟଙ୍କାରେ ଟୁଇଟର କିଣିଛନ୍ତି, ସେହି ଟଙ୍କାର ପରିମାଣ କେତେ ତାହା ଆକଳନ କରିବାକୁ କିଛି ତଥ୍ୟ ଉପରେ ନଜର ପକାନ୍ତୁ…

୧.୩୨ କୋଟି ଲୋକଙ୍କୁ ମିଳିପାରିବ ଚାକିରି

ବିଶ୍ୱବ୍ୟାଙ୍କ୍ ୨୦୧୮ରେ ଏକ ବ୍ଲଗରେ ଲେଖିଥିଲା ଯେ, ଯଦି ୧୦ ମିଲିୟନ୍ ଡଲାର ନିବେଶ କରାଯାଏ ତେବେ ସେଥିରେ ୩ ଶହ ଲୋକଙ୍କୁ ନିଯୁକ୍ତି ଦିଆଯାଇପାରିବ । ଯଦି ସେହି ମଡେଲ ଏଠାରେ ଲାଗୁ କରାଯାଏ, ତେବେ ୪୪ ଆରବ ଡଲାରରେ ପ୍ରାୟ ୧.୩୨ କୋଟି ଲୋକ ଚାକିରି ପାଇପାରିବେ ।

ନିର୍ମାଣ ହୋଇପାରିବ ୧୫୦ ଏମସ୍ ହସ୍ପିଟାଲ

ଭାରତରେ ଗୋଟିଏ ଏମସ୍ ହସ୍ପିଟାଲ ନିର୍ମାଣ କରିବାକୁ ଗୋଟିଏ ସରକାରକୁ ପାଖପାଖି ୨ ହାଜର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କାଶ୍ମୀରରେ ନିର୍ମାଣ ହେଉଥିବା ଏମସ୍ ହସ୍ପିଟାଲ ପାଇଁ ସରକାର ପ୍ରାୟ ୧୮୨୮ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହି ଅନୁସାରେ ଏଲନ୍ ମସ୍କ ଯେତିକି ଟଙ୍କାରେ ଟୁଇଟର କିଣିଛନ୍ତି ସେହି ଟଙ୍କାରେ ଭାରତରେ ପ୍ରାୟ ୧୫୦ରୁ ଅଧିକ ଏମସ୍ ହସ୍ପିଟାଲ ନିର୍ମାଣ ହୋଇପାରିବ ।

ଶିକ୍ଷାକ୍ଷେତ୍ରରେ ହୋଇପାରିବ ୩ ଗୁଣା ଖର୍ଚ୍ଚ

ଭାରତରେ ସରକାର ଏବେ ଶିକ୍ଷା କ୍ଷେତ୍ରରେ ନିଜ ଜିଡିପିର ୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି । ଯାହାକି ଅତି କମରେ ୬ ପ୍ରତିଶତ ହେବା କଥା । କେନ୍ଦ୍ର ସରକାର କରିଥିବା ବଜେଟରେ ଏଥର ଶିକ୍ଷା କ୍ଷେତ୍ରକୁ ୧.୦୪ ଲକ୍ଷ କୋଟି ଦେଇଥିଲେ । ତେଣୁ ମସ୍କଙ୍କ ଟୁଇଟର ଡିଲ୍ ଟଙ୍କାରେ ଭାରତ ସରକାର ଶିକ୍ଷା କ୍ଷେତ୍ରରେ ୬ ପ୍ରତିଶତ ନୁହେଁ ବରଂ ୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିବେ ।

ନିର୍ମାଣ ହୋଇପାରିବ ୩୫୦ ବଡ ଷ୍ଟାଡିୟମ

ଅହମ୍ମଦାବାଦରେ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମର ବିଶାଳତା ଆପଣ ଜାଣିଥିବେ । ୬୩ ଏକରରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମକୁ ୨୦୨୧ ମସିହା ଫେବ୍ରୁଆରୀ ମାସରେ ଉଦଘାଟନ କରାଯାଇଥିଲା । ତେବେ ଏହି ଷ୍ଟାଡିୟମର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା ୮ ଶହ କୋଟି ଟଙ୍କା । ଆଉ ଏଲନ୍ ମସ୍କ ଯେତିକି ଟଙ୍କାରେ ଟୁଇଟରକୁ କିଣିଛନ୍ତି, ସେତିକି ଟଙ୍କାରେ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ ଭଳି ପ୍ରାୟ ୩୫୦ଟି ବିଶାଳ ଷ୍ଟାଡିୟମ ନିର୍ମାଣ ହୋଇପାରିବ ।

୧୧୨ ଟି ଗଢା ହୋଇପାରିବ ଷ୍ଟାଚ୍ୟୁ ଅଫ୍ ୟୁନିଟି

ଗୁଜରାଟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି କଥା ଆପଣ ଜାଣିଥିବେ । ୧୮୨ ମିଟର ଏହି ସୁଉଚ୍ଚ ପ୍ରତିମୂର୍ତ୍ତି ପାଇଁ ପାଖାପାଖି ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଆଉ ଟୁଇଟରକୁ କିଣାଯାଇଥିବା ଟଙ୍କାରେ ସେହିଭଳି ପାଖାପାଖି ୧୧୨ଟି ସୁଉଚ୍ଚ ପ୍ରତିମୂର୍ତ୍ତି ଗଢା ହୋଇପାରିବ ।

ଏହିଭଳି କିଛି ତଥ୍ୟରୁ ଏଲନ୍ ମସ୍କ କେତେ ବିଶାଳ ରାଶି ଦେଇ ଟୁଇଟରକୁ କିଣିଛନ୍ତି ତାହା ଅନୁମାନ କରାଯାଇପାରେ ।