ମହାନଦୀରେ ଆସୁଛି ମଧ୍ୟମ ବନ୍ୟା: ଛୋଟ ଛୋଟ ନଦୀରେ ବଢ଼ିବ ପାଣି

110

କନକ ବ୍ୟୁରୋ: ରବିବାର ସଂଧ୍ୟା ସୁଦ୍ଧା ହୀରାକୁଦର ୩୪ଟି ଗେଟ୍ ଖୋଲା ରହିଥିବାବେଳେ, ଛଡା ଯାଇଥିବା ବନ୍ୟାଜଳ ସୋମବାର ଅପରାହ୍ନ ସୁଦ୍ଧା ମୁଣ୍ଡଳୀରେ ପହଂଚିବ । ଖଇରମାଳରେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ହୀରାକୁଦ ଡ୍ୟାମର ଅଧିକ ଗେଟ୍ ଖୋଲାଯିବ ନାହିଁ । ତେଣୁ ୧୫ ତାରିଖ ଅପରାହ୍ନରୁ ସଂଧ୍ୟା ସୁଦ୍ଧା କଟକ ମୁଣ୍ଡଳୀରେ ପିକ୍ ଫ୍ଲଡ ପହଂଚିବ ଏବଂ ସେତେବେଳକୁ ସାଢେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ।

ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ସେଭଳି ସ୍ଥିତି ନାହିଁ । ବ୍ରାହ୍ମଣୀ ନଦୀରେ ମଧ୍ୟ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଏସଆରସି । ହେଲେ ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ରହିଛି । କିନ୍ତୁ ଦକ୍ଷିଣାଂଚଳ ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ନଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବନ୍ୟା ଆଶଙ୍କା ଦେଖା ଦେଇଛି । ବିଶେଷ କରି ମହାନଦୀ ବନ୍ୟାପାଣି ଛୋଟଛୋଟ ନଦୀ ଗୁଡିକର ଜଳସ୍ତରକୁ ବୃଦ୍ଧି କରିବ । ଲୁଣା, କେରେଣ୍ଡିଆ, ଚିତ୍ରୋତ୍ପଳା, ଦୟା ଓ ଭାର୍ଗବୀ ସହ ରାଜୁଆ ଓ ମଲାସୁଇଁ ନଦୀ କୂଳିଆ ଅଂଚଳ ପ୍ରଭାବିତ ହେବା ଆଶଙ୍କା ରହିଛି ।

ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡିକୁ ସଜାଗ ରହିବାକୁ କୁହାଯାଇଛି । ଏସବୁ ଜିଲ୍ଲାକୁ ୭ଟି ଓଡ୍ରାଫ, ୩ଟି ଏନଡିଆରଏଫ ସହ ୧୨ଟି ଅଗ୍ନିଶମ ଟିମ ପଠାଯାଇଥିବା କହିଛନ୍ତି ଏସଆରସି । ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ସମସ୍ତ କ୍ଷମତା ପ୍ରଦାନ କରାଯାଇଛି । ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଓ ପିଇବା ପାଣି ବ୍ୟବସ୍ଥା କରିବାକୁ କୁହାଯାଇଛି ।

ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି ଜଳ ସଂପଦ ମନ୍ତ୍ରୀ ଟୁକୁନୀ ସାହୁ । ଜଳ ସଂପଦ ମୁଖ୍ୟଯନ୍ତ୍ରୀଙ୍କ ସହ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ତଳିଆ ଅଂଚଳରେ ବନ୍ୟାପାଣି ପଶିବାର ଆଶଙ୍କା ଥିବାରୁ ସରକାର ସମସ୍ତ ପଦକ୍ଷେପ ନେଉଥିବା ସମୀକ୍ଷା ପରେ ସୂଚନା ଦେଇଛନ୍ତି ଜଳ ସଂପଦ ମନ୍ତ୍ରୀ ।