କର୍ଣ୍ଣାଟକ ନିର୍ବାଚନୀ ପ୍ରଚାର ମୈଦାନରେ ପ୍ରଧାନମନ୍ତ୍ରୀ ମୋଦୀ,୨୬ କିଲୋମିଟର ରୋଡ ସୋ କରି ବିଜେପି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

108

କନକ ବ୍ୟୁରୋ : ରାସ୍ତାର ଦୁଇ ପଟେ ଲୋକଙ୍କ ଗହଳି । ‘ମୋଦି ହେ ତୋ ମୁମକିନ ହେ’ ନାରା । ହାତରେ ବିଜେପି ପତାକା ଓ ମୁହଁରେ ମୋଦିଙ୍କୁ ସମର୍ଥନ କରି ନାରା । ଏହେଉଛି ମୋଦୀଙ୍କ ମେଗା ରୋଡ ସୋ ବେଳର ଦୃଶ୍ୟ । ବିଜେପିର ସବୁଠୁ ବଡ଼ ଷ୍ଟାର ପ୍ରଚାରକ ମୋଦୀ ଏବେ କର୍ଣ୍ଣାଟକରେ ଗୋଟିଏ ପରେ ଗୋଟିଏ ଶୋଭଯାତ୍ରା, ରାଲି ଓ ମିଟିଂ କରୁଛନ୍ତି । ବେଙ୍ଗାଲୁରୁରେ ଏହି ରାଲି ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିଥିଲା । ଖାଲି ରାଜରାସ୍ତା ନୁହେଁ, ବରଂ ସହରର ଭିତର ରାସ୍ତା ଦେଇ ପାସ୍ କରିଥିଲା ମୋଦିଙ୍କ ରାଲି । ମୋଟ୍ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଂଚଳରେ ଏହି ରାଲି ଅତିକ୍ରମ କରିଛି । ଶୋଭାଯାତ୍ରା ବେଳେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଉପରକୁ ସମର୍ଥକମାନେ ଫୁଲ ଫିଙ୍ଗିଥିବା ବେଳେ କିଛି ମୋଦୀଙ୍କ ଫଟୋ ସହ ସାମିଲ ହୋଇଥିଲେ ।

ଭୋଟ ଗ୍ରହଣ ତାରିଖ ପାଖଉ ଥିବା ବେଳେ ସବୁ ଦଳ ପ୍ରଚାର ଜୋରଦାର କରିଛନ୍ତି । ଏହା ଭିତରେ ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ ମଧ୍ୟ ବଢ଼ିଛି । ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ଦଳର ମୁଖପାତ୍ର ରଣଦୀପ ସୂର୍ଯେୱାଲା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ବିଜେପି ନେତା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚୁଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଏହା ଭିତରକୁ ଟାଣିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ମୁଖପାତ୍ର । ସୂର୍ଯେୱାଲା ଅଭିଯୋଗ କରିଛନ୍ତି ଯେ, କର୍ଣ୍ଣାଟକ ବିଜେପିର ଜଣେ ବଡ଼ ନେତା, ଯିଏକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖ ଲୋକ, ସେହିଁ ଏହି ଷଡ଼ଯନ୍ତ୍ର ରଚିଛନ୍ତି । ହେଲେ ସେ କାହାରି ନାଁ ନେଇ ନାହାନ୍ତି ।

ସେପଟେ ବିଜେପି କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିଦେବା ସହ କହିଛି ଯେ, ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଦଳ କୌଣସି ବି ସ୍ତରକୁ ଯାଇପାରେ ବୋଲି ଏହା ତାର ପ୍ରମାଣ ।

ମେ ୧୦ରେ କର୍ଣ୍ଣାଟକରେ ଭୋଟଗ୍ରହଣ ହେବ । ମେ ୧୩ରେ ଭୋଟ ଗଣତି କରାଯିବ । ବିଜେପି ଗାଦି ବଂଚାଇ ରଖିବାକୁ ସବୁ ପ୍ରକାର ପ୍ରୟାସ କରୁଛି । ସେପଟେ ବିଜେପିକୁ ବିଦା କରି ଶାସନକୁ ଫେରିବାକୁ କଂଗ୍ରେସ ଦିନ ରାତି ଏକ କରିଦେଇଛି । ରାହୁଲ ଗାନ୍ଧୀ ବାରମ୍ବାର କର୍ଣ୍ଣାଟକରେ ପ୍ରଚାର କରୁଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ, ଏଥର କଂଗ୍ରେସ ବିଜେପିକୁ ହରାଇ କର୍ଣ୍ଣାଟକ ଦଖଲ କରିବ, ଆଉ ଯଦି କଂଗ୍ରେସ ହାରିଯାଏ, ତାହେଲେ ସେ ଏଥିପାଇଁ ଦାୟୀ ରହିବେ ।