ପଦଯାତ୍ରା ପୂର୍ବରୁ ଦଳ ଛାଡ଼ିଲେ କଟକ କଂଗ୍ରେସର ଅନେକ ନେତା: ମହମ୍ମଦ ମୋକିମଙ୍କୁ ନୋଟିସ କରାଯିବା ଘଟଣାକୁ ନିନ୍ଦା

154

କନକ ବ୍ୟୁରୋ: ଗୋଟିଏ ପଟେ କଂଗ୍ରେସ ନିଜ ଗଡକୁ ସଜାଡିବା ପାଇଁ ପଦଯାତ୍ରା ଆରମ୍ଭ କରିଥିବାବେଳେ ଏପଟେ ଦଳ ଛାଡିଛନ୍ତି ଦଳର ପୁରୁଖା ନେତାଙ୍କ କିଛି ଯୁବ ଓ ଛାତ୍ର ନେତା । ଦଳର ବର୍ତମାନ କାର୍ଯ୍ୟଧାରାକୁ ବିରୋଧ କରି ପ୍ରାୟ ୨୭ ନେତା ଦଳ ଛାଡିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ଆଉ କିଛି ପୁରୁଖା ନେତା । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ଏହି ନେତାମାନେ ପିସିସି ସଭାପତିଙ୍କ ଉପରେ ବର୍ଷିଛନ୍ତି । ମୋକିମଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସକୁ ବି ଏମାନେ ବିରୋଧ କରିଛନ୍ତି ।

କଂଗ୍ରେସକୁ ଯୋଡିବା ପାଇଁ କଂଗ୍ରେସ ପଦଯାତ୍ରା ଆରମ୍ଭ କରୁଥିବାବେଳେ ହାତ ଛାଡୁଛନ୍ତି ଦଳୀୟ ନେତା । ଯାହା ପିସିସି ସଭାପତିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏତେ ସଂଖ୍ୟକ ନେତା ଦଳ ଛାଡିବା ଦୁର୍ବଳ ହୋଇପଡୁଥିବା କଂଗ୍ରେସ ସଙ୍ଗଠନ ଉପରେ ପ୍ରଭାବ ପକାଇବା ବି ଆଶଙ୍କା ସୃଷ୍ଟି କରିଛି ।

କୁହାଯାଉଛି, କଂଗ୍ରେସ ଛାଡିଥିବା ଏହି ନେତାମାନେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିକଟତର ଥିଲେ । ତେଣୁ ଏହି ଘଟଣା ପରେ କଂଗ୍ରେସ ରାଜନୀତି ସରଗରମ ହୋଇଛି । ମୋକିମ ଦଳରେ ରହିବେ ନା ଅନ୍ୟ ଦଳ ମୁହାଁ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ମୋକିମ କହିଛନ୍ତି, ଘର କଳି ଘରେ ସମାଧାନ ହେବା ଦରକାର । ଶରତ ପଟ୍ଟନାୟକଙ୍କୁ ତେରଛା ବାଣ ଛାଡି କହିଛନ୍ତି,ପରିବାରର ମୁଖିଆ ସମସ୍ତଙ୍କୁ ଧରି ଚାଲିବା କଥା, ବୋଧେ ତାହା ହୋଇନାହିଁ । ଆଉ ପିସିସି ସଭାପତି କହିଛନ୍ତି, ଏବେ ସେ ଦାୟିତ୍ୱ ନେଇଛନ୍ତି । ତେଣୁ କାର୍ଯ୍ୟ ଠିକ ହେଉନଥିବା କଥା ଦଳ ଛାଡିଥିବା ନେତା କେମିତି ଜାଣିଲେ ।

ଚର୍ଚ୍ଚା ହେଉଛି ଡିସେମ୍ବରରେ ଓଡିଶା ଗସ୍ତରେ ଆସୁଛନ୍ତି ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ । ଏହି ସମୟରେ କିଛି କଂଗ୍ରେସ ନେତା ଏଥିରେ ସାମିଲ ହୋଇ ଓଡିଶାରେ ନୂଆ ସମୀକରଣ ତିଆରି କରିପାରନ୍ତି । ମୋକିମଙ୍କ ସହ ଅନ୍ୟ କିଛି ନେତା ଏହି ଦୌଡରେ ସାମିଲ ଥିବା କୁହାଯାଉଛି ।

ମହମ୍ମଦ ମୋକିମ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ । ଏହାର କିଛି ଦିନ ପରେ ରାଜ୍ୟପାଳ ଗଣେଶୀଲାଲ ମୋକିମଙ୍କ ଘରକୁ ଆସିବା ରାଜନୈତିକ ଚର୍ଚ୍ଚାକୁ ହାୱା ଦେଇଥିଲା । ଆଉ ଏବେ ପ୍ରଶ୍ନ ଉଠୁଛ, ଏବେ ଏତେ ସଂଖ୍ୟକ ନେତା ଦଳ ଛାଡିବା କେଉଁଆଡକୁ ଇସାରା କରୁଛି ।