ବିଜେପିରେ ମିଶିଲେ ୟୁଟ୍ୟୁବର ମନୀଷ କଶ୍ୟପ୍ । ଦିଲ୍ଲୀରେ ଗ୍ରହଣ କଲେ ଦଳର ସଦସ୍ୟତା ।

139

କନକ ବ୍ୟୁରୋ:  ବିବାଦରେ ଘେରିହୋଇଥିବା ବିହାରର ଲୋକପ୍ରିୟ ୟୁଟୁବ୍ୟର ମନୀଷ କଶ୍ୟପ ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି । ସେଠାରେ ବିଜେପି ନେତା ମନୋଜ ତିୱାରୀ, ଅନୀଲ ବାଲୁନିଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ମନୀଷ । ତେବେ ସେ ପୂର୍ବରୁ ପଶ୍ଚିମ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ, ହେଲେ ଏବେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ନିଜକୁ ବିହାର ମାଟିର ପୁଅ ବୋଲି କହୁଥିବା ମନୀଷ କଶ୍ୟପ ପଶ୍ଚିମ ଚମ୍ପାରଣ ସିଟରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିଲେ । ସେଠାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କହିଆସୁଥିଲେ । ହେଲେ ଏହାପରେ ସେ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ଜାଣିରଖିବା ଉଚିତ୍ ଯେ, ଏହା ପୂର୍ବରୁ ସେ ବିହାରର ଚନପଟିଆ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିସାରିଛନ୍ତି । ଯେଉଁଥିରେ କି ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ସୂଚନା ମୁତାବକ, ବିହାରର ବେତିୟା ଜିଲ୍ଲାରେ ରହିଥିବା ମନୀଷ କଶ୍ୟପ ସେତେବେଳେ ବେଶ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ତାଙ୍କୁ ମିଛ ଭାଇରାଲ ଭିଡିଓ କେସରେ ପୋଲିସ ଗିରଫ କରିଥିଲା । ପାଖାପାଖି ୯ ମାସ ଧରି ସେ ଜେଲରେ ରହିଥିଲେ । ତା ସହ ୟୁଟ୍ୟୁବରେ ମଧ୍ୟ ସେ ବେଶ ଲୋକପ୍ରିୟ । ତାଙ୍କ ଚ୍ୟାନେଲର ପାଖାପାଖି ୮.୭୫ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି । ବିଶେଷକରି ସାମାଜିକ ମୁଦ୍ଦା ଉପରେ ସେ ଭିଡିଓ ବନାଉଥିବାବେଳେ, ତାଙ୍କର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଇଥାଏ ।