ଋଣ ଆବେଦନ ଖାରଜ ହେବା ପରେ ଗ୍ରାହକ କଲେ ଏମିତି କାଣ୍ଡ, ୧୨ ଲକ୍ଷ ଟଙ୍କା କ୍ଷତି ସହିଲା ବ୍ୟାଙ୍କ

278

କନକ ବ୍ୟୁରୋ: ମଣିଷର ରାଗ ତାକୁ କେତେ ତଳକୁ ନେଇପାରେ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକ ହାବେରୀ ଜିଲ୍ଲାରେ । ଏଠାରେ ଜଣେ ଗ୍ରାହକ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି । ଏହି ଅଭିଯୁକ୍ତଙ୍କ ନାମ ୱାସିମ୍ ହଜରତସାବ ମୁଲ୍ଲା ଓ ସେ ରତିହଲ୍ଲୀ ଠାରେ ରହୁଛନ୍ତି ।

ସୂଚନା ମୁତାବକ ମୁଲ୍ଲା କାନାଡା ବ୍ୟାଙ୍କର ହେଦୁଗୋଡା ବ୍ରାଞ୍ଚରେ ଋଣ ପାଇଁ ଆବେଦନ କରିଥିଲେ । ହେଲେ କୌଣସି କାରଣରୁ ବ୍ୟାଙ୍କ ତରଫରୁ ତାଙ୍କ ଋଣ ଆବେଦନକୁ ଖାରଜ କରିଦିଆଯାଇଥିଲା । ଏହା ଜାଣିବା ପରେ ମୁଲ୍ଲା ଶନିବାର ଦିନ ରାଗରେ ବ୍ୟାଙ୍କରେ ପହଂଚିଥିଲେ । ସେଠାରେ ସେ ବ୍ୟାଙ୍କର ଏକ ଝରକା ଖୋଲି ବ୍ୟାଙ୍କ ଭିତରେ ପେଟ୍ରୋଲ ଢାଳି ଦେଇଥିଲା । ଏହାପରେ ସେ ନିଆଁ ବି ଲଗାଇ ଦେଇଥିଲା । ଏହାପରେ ରାସ୍ତାରେ ଯାଉଥିବା ଲୋକମାନେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖି ପୋଲିସ ଓ ଦମକଳ ବାହୀନିକୁ ଖବର ଦେଇଥିଲେ ।

ଏହାପରେ ଦମକଳ ବାହୀନି ଓ ପୋଲିସ ଉଭୟ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଏନେଇ ବ୍ୟାଙ୍କ ଅଧିକାରୀ କହିଛନ୍ତି କି ନିଆଁ ଲାଗିବା ଫଳରେ ବ୍ୟାଙ୍କର ୧୨ ଲକ୍ଷ ଟଙ୍କା କ୍ଷତି ହୋଇଛି । ୫ ଟି କମ୍ପ୍ୟୁଟର, ପଙ୍ଖା, ଲାଇଟ, ପାସବୁକ, ପ୍ରିଣ୍ଟର , କ୍ୟାସ କାଉଣ୍ଟିଙ୍ଗ ମେସିନ ସମେତ ଅନେକ ସାମଗ୍ରୀ ପୋଡି ଯାଇଛି । ଏନେଇ ପୋଲିସ ଅଭିଯୁକ୍ତ ମୁଲ୍ଲାକୁ ଗିରଫ କରିଛି ତା ବିରୋଧରେ ମାମଲା ରୁଜୁ କରିଛି ।