ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା । କରୋନାରେ ସଂକ୍ରମିତ ହେଲେ ଭାରତର ଷ୍ଟାର ବୋଲର, ସିରିଜରୁ ପଡିଲେ ବାଦ୍ । 

179

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା ଲାଗିଛି । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ହିଁ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ୱାସିଂଟନ ସୁନ୍ଦର କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ଫଳରେ ତାଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇଛି । ବୁଧବାର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଭାରତୀୟ ଟିମ୍ । ତେବେ ଏହାପୂର୍ବରୁ ହିଁ ୱାସିଂଟନ ସୁନ୍ଦର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବା ଆଶା ୱାସିଂଟନଙ୍କର ଧୂଳିସାତ୍ ହୋଇଛି ।

ଗତ ୧୦ ମାସ ହେବ ଅର୍ନ୍ତଜାତୀୟ କ୍ରିକେଟରୁ ଦୂରରେ ରହିଛନ୍ତି ୱାସିଂଟନ ସୁନ୍ଦର । ଶେଷଥର ୨୦୨୧ରେ ଅନ୍ତର୍ଜାତୀୟ ମୁକାବିଲା ଖେଳିଥିଲେ ୱାସିଂଟନ । ଏହାପରେ ଆହତ ହୋଇ ଟି-୨୦ ବିଶ୍ୱକପରୁ ବାଦ୍ ପଡିଥିଲେ । ତେବେ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିବା ପରେ ପୁଣିଥରେ ତାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଥିଲା ।  ତେବେ ୱାସିଂଟନଙ୍କ ବଦଳ ଖେଳାଳୀ ଭାବେ କାହା ନାଁ ଏଯାବତ ଘୋଷଣା କରିନାହିଁ ବିସିସିଆଇ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ରାହୁଲଙ୍କୁ ଅଧିନାୟକ ଭାବେ ଦେଖିବାକୁ ମିଳିବ । କାରଣ ଆହତ କାରଣରୁ ରୋହିତ ଶର୍ମା ଏହି ସିରିଜରୁ ବାଦ୍ ପଡିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ୧୯ ଜାନୁଆରୀରୁ ଏହି ସିରିଜ ଆରମ୍ଭ ହେବ । ପରେ ୨୧ ଓ ୨୩ ଜାନୁଆରୀରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଖେଳାଯିବ । ଏହି ସିରିଜରେ ଅନେକ ନୂଆ ଚେହେରାଙ୍କୁ ଦଳରେ ସାମିଲ କରାଯାଇଛି । ଶିଖର ଧୱନ ମଧ୍ୟ ଦୀର୍ଘଦିନ ପରେ ପୁଣିଥରେ ଟିମକୁ କମବ୍ୟାକ୍ କରିଛନ୍ତି ।