ଭୁବନେଶ୍ୱର ଯାଆଁଳାରେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ : ଲୁଟ୍ ଉଦେଶ୍ୟରେ ୮ ରାଉଣ୍ଡ ଗୁଳି ଚାଳନା କଲେ ଦୁର୍ବୃତ୍ତ

124

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ଜାଆଁଳାରେ ସୁନା ଦୋକାନୀଙ୍କୁ ଗୁଳିମାଡ । ଗହଣା ବ୍ୟବସାୟ କରୁଥିବା ବାପ- ପୁଅଙ୍କୁ ୮ ରାଉଣ୍ଡ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଗୁଳିମାଡରେ ସୁନା ଦୋକାନୀ ଆହତ ହୋଇଛନ୍ତି । ଆହତଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତି ରାତି ୯ଟା ପରେ ଯାଁଳା ବଜାରରୁ ସ୍ବାତୀ ଜୁଏଲର୍ସର ମାଲିକ ଭଗବାନ ସୁବୁଦ୍ଧି ଓ ତାଙ୍କ ପୁଅ ଲୋକନାଥ ଦୋକାନ ବନ୍ଦ କରି ମୁଣ୍ଡୁମୁହାଣସ୍ଥିତ ଘରକୁ ବାହାରିଥିଲେ । ସେମାନେ ଗହଣାତକ ବ୍ୟାଗ୍‌ରେ ଭର୍ତ୍ତି କରି ସ୍କୁଟି ଡିକିରେ ରଖିଥିଲେ। ଭଗବାନଙ୍କ ସ୍କୁଟିରେ ଗହଣାତକ ଥିଲା । ଭଗବାନ ଆଗେ ଆଗେ ଯାଉଥିବା ବେଳେ ପୁଅ ଲୋକନାଥ ପଛରେ ଯାଉଥିଲେ । ଯାଁଳା ପୋଷ୍ଟ ଅଫିସ କଡ଼ ଗଳିରେ ସେମାନେ ଯାଉଥିବା ବେଳେ ଏକ ଅନ୍ଧାରିଆ ସ୍ଥାନରେ ଛପି ଥିବା ପ୍ରାୟ ୩/୪ ଜଣ ଦୁର୍ବୃତ୍ତ ଲୋକନାଥଙ୍କୁ ଅଟକାଇଥିଲେ ।

ସେତେବ‌େଳକୁ ଭଗବାନ କିଛି ବାଟ ଆଗେଇ ଯାଇଥିଲେ। ତେଣୁ ଦୁର୍ବୃତ୍ତମାନେ ତାଙ୍କ ପୁଅକୁ ଅଟକାଇଥିବା ବାବଦରେ ସେ କିଛି ଜାଣିପାରିନଥିଲେ। ଦୁର୍ବୃତ୍ତମାନେ ଲୋକନାଥଙ୍କୁ ଅଟକାଇବା ସହ ଅଚାନକ ଜଣେ ଦୁର୍ବୃତ୍ତ ଏକ ବନ୍ଧୁକ ବଟ୍‌ରେ ତାଙ୍କ ମୁଣ୍ଡକୁ ବାଡ଼େଇ ଦେଇଥିଲା । ଫଳରେ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ସେମାନେ ଲୁଟେରା ବୋଲି ପ୍ରଥମେ ଲୋକନାଥ ବୁଝିପାରିନଥିଲେ । ଏମିତିକି ଦୁର୍ବୃତ୍ତ ଜଣକ ବନ୍ଧୁକରେ ମୁଣ୍ଡକୁ ଆଘାତ କରିଛି ବୋଲି ସେ ଜାଣିପାରିନଥିଲେ । ତେଣୁ ମୁଣ୍ଡ ଫାଟିଯିବାରୁ ସେ ରାଗରେ ଉକ୍ତ ଦୁର୍ବୃତ୍ତକୁ କାବୁ କରିବାକୁ ଯାଇ ତା’ ବେକକୁ କଣ୍ଠା ପକାଇଦେଇଥିଲେ ।

ଦୁଇ ଜଣକ ମଧ୍ୟ‌ରେ ଧସ୍ତାଧସ୍ତି ଲାଗିଥିବା ବେଳେ ଅନ୍ୟ ଦୁର୍ବୃତ୍ତମାନେ ସ୍କୁଟି ଡିକି ଭାଙ୍ଗି ଗହଣା ଦରାଣ୍ଡି ଥିଲେ। ମାତ୍ର ଗହଣା ବ୍ୟାଗ୍‌ ନପାଇ ସେମାନେ ଲୋକନାଥକୁ ମାଡ଼ ମାରିଥିଲେ । ତଥାପି ଲୋକନାଥ କଣ୍ଠା ପକାଇଥିବା ଦୁର୍ବୃତ୍ତକୁ ଛାଡ଼ି ନଥିଲେ ଓ ପାଟି କରି ପାଖ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ପାଖରେ ଥିବା ୩ଟି ପରିବାରର ଲୋକେ ଘଟଣା କ’ଣ ଜାଣିବାକୁ ବାହାରି ଆସିବା ଦେଖି ଦୁର୍ବୃତ୍ତମାନେ ଆଉ କାଳବିଳମ୍ବ କରିନଥିଲେ । ସେମାନେ ଲୋକନାଥଙ୍କ ଜଙ୍ଘକୁ ଅତି ନିକଟରୁ ୨ ରାଉଣ୍ଡ ଗୁଳିମାଡ଼ କରିବା ସହ ଲୋକଙ୍କୁ ଭୟଭୀତ କରିବାକୁ ଆଉ ୬ ରାଉଣ୍ଡ ଗୁଳି ଫୁଟାଇଥିଲେ ।

ଗୁଳିମାଡ଼ ପରେ ଲୋକନାଥ ତଳେ ପଡ଼ିଯାଇଥିବା ବେଳେ ପାଖ ଲୋକମାନେ ଭୟରେ ଘରେ ପଶିଯାଇଥିଲେ। ଏହି ମଉକାରେ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାପ ପୁଅଙ୍କ ଉଦ୍ଧାର କରି ଏମ୍ସ ମେଡିକାଲରେ ଭର୍ତ୍ତି କରିଛି ।