୩ ଦିନିଆ ଓଡି଼ଶା ଗସ୍ତରେ ମମତା ବାନାର୍ଜୀ: ନବୀନଙ୍କ ସମର୍ଥନ ହାସଲ କରିବା ଲକ୍ଷ୍ୟ?

217

କନକ ବ୍ୟୁରୋ: ଦିଲ୍ଲୀରେ ୨୪ ଘଂଟିଆ ଧାରଣା ଦେବା ନେଇ ଘୋଷଣା କରିବା ପରେ ଓଡ଼ିଶାରେ ପହଂଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ତିନି ଦିନିଆ ଗସ୍ତରେ ଆସି ପୁରୀରେ ପହଂଚିଛନ୍ତି ମମତା ବାନାର୍ଜୀ । କୋଲକାତାରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସଡକପଥରେ ସିଧା ପୁରୀରେ ପହଂଚିଥିଲେ ।

ମମତାଙ୍କ ଓଡି଼ଶା ଗସ୍ତ ସୂଚୀ
– ପୁରୀ ନିର୍ମାଣ ନିବାସରେ ମଙ୍ଗଳବାର ଓ ବୁଧବାର ଅବସ୍ଥାନ କରିବେ ମମତା
– ବୁଧବାର ଅପରାହ୍ଣରେ ଶ୍ରୀମନ୍ଦିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ
– ଶ୍ରୀମନ୍ଦିରରେ ମାନସିକ ପୂଜା କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
– ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ଯ୍ୟକ୍ରମ

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୁରୀରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ସିପସରୁବାଲି ମୌଜାରେ ୫ ଏକର ଜମିରେ ପଶ୍ଚିମବଙ୍ଗ ସରକାର ଲାଗି ଏକ ଗେଷ୍ଟହାଉସ ନିର୍ମାଣ ହେବାର ଅଛି । ଏହି ଜମିକୁ ବୁଲି ଦେଖିବା ସହ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ମମତା । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।

ଓଡି଼ଶା ଅଭିମୁଖେ ବାହାରିବା ପୂର୍ବରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ମମତା ବାନାର୍ଜୀ । ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ମିଳୁନଥିବା ଅଭିଯୋଗ କରି ଆଗାମୀ ୨୯ ଓ ୩୦ ତାରିଖରେ ଦିଲ୍ଲୀ ବିଆର ଆମ୍ବେଦକର ପ୍ରତିମୂର୍ତି ତଳେ ଧାରଣା ଦେବେ ମମତା । ବାସହୀନଙ୍କୁ ଘର ଓ ଗ୍ରାମାଂଚଳ ରୋଜଗାର ସୃଷ୍ଟି ଭଳି ଯୋଜନାରେ କେନ୍ଦ୍ର ବଜେଟ୍ରେ ଅନୁଦାନ କମାଇ ଦିଆଯାଇଥିବାରୁ ଏହାର ପ୍ରତିବାଦ କରିବେ । ମୋଦୀ ବିରୋଧୀ ଭାବେ ବେଶ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କଂଗ୍ରେସକୁ ବାଦ୍ ଦେଇ ମୋଦୀ ବିରୋଧୀ ମଂଚ କଥା କହୁଥିବାରୁ ମମତାଙ୍କ ଓଡିଶା ଗସ୍ତର ଗୁରୁତ୍ୱ ବେଶ ବଢିଯାଇଛି । ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେସିଆରଙ୍କ ନେତୃତ୍ୱରେ ତିଆରି ହେଉଥିବା ତୃତୀୟ ସାମୁଖ୍ୟଠାରୁ ମଧ୍ୟ ଦୂରେଇ ରହିଛନ୍ତି । ତେଣୁ ୨୦୨୪ରେ ବିଜେପିକୁ ଚେକ୍ ଦେବା ପାଇଁ ନବୀନଙ୍କ ସହଯୋଗ ଲୋଡିପାରନ୍ତି ମମତା । ନିକଟରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଭେଟି ମେଂଟ କରିବାକୁ ଇସାରା ଦେଇଥିଲେ ମମତା । ତେଣୁ ମମତାଙ୍କ ଗସ୍ତ ପରେ ନବୀନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।