‘ମରିଯିବି ପଛେ, ଦେଶକୁ ବାଣ୍ଟିବାକୁ ଦେବିନି’ । ଇଦ୍ ଅବସରରେ ଏମିତି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିକୁ କଲେ ସିଧା ଟାର୍ଗେଟ୍ ।

110

କନକ ବ୍ୟୁରୋ: ଜୀବନ ଦେଇଦେବି ପଛେ, ହେଲେ ଦେଶକୁ ବାଣ୍ଟିବାକୁ ଦେବିନି । ଆଜି ସାରା ଦେଶରେ ଇଦ୍ ପାଳନ ହେଉଥିବାବେଳେ, ଏଭଳି କିଛି ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶନିବାର ମମତା ଦିଦି ଭାଗବଣ୍ଟା ରାଜନୀତି କରୁଥିବା ନେତାଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କ ଉପରେ ବର୍ଷିଛନ୍ତି । ମମତା କହିଛନ୍ତି ଯେ, ଘୃଣାର ରାଜନୀତି କରି କିଛି ଲୋକ ଦେଶକୁ ବାଣ୍ଟିବାକୁ ଚାହୁଁଛନ୍ତି । ହେଲେ ସେ ନିଜ ଜୀବନ ଦେଇଦେବେ ପଛେ, ଦେଶକୁ ଭାଗଭାଗ ହେବାକୁ ଦେବେନି ।

ତେବେ ମମତା ବାନାର୍ଜୀ ଆଜି ଇଦ୍ ଅବସରରେ ନମାଜ କରିବା ସହିତ ସେଠାରେ ଏକତ୍ରିତ ହୋଇଥିବା ଲୋକଙ୍କୁ ଏକାଠି ହୋଇ ରହିବାକୁ କହିଛନ୍ତି । ଏଥିସହ ୨୦୨୪ରେ କେମିତି ବିଜେପିର ପରାଜୟ ହେବ ସେନେଇ ମଧ୍ୟ ମମତା ଆଲୋଚନା କରିଥିବା କଥା ଜଣାପଡିଛି । ଅନ୍ୟପଟେ ମମତା ବିଜେପି ଉପରେ ବଡ ଅଭିଯୋଗ ମଧ୍ୟ ଆଣିଛନ୍ତି । ବିଜେପି ସମ୍ବିଧାନ ବଦଳାଇବାକୁ ଚେଷ୍ଟା କରୁଥିବା ଦିଦି କହିଛନ୍ତି ।

ମମତା କହିଛନ୍ତି ଯେ, ସେ ଧନ ବଳ ଓ କେନ୍ଦ୍ରୀୟ ଏଜେନ୍ସି ସହ ଲଢିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ନିଜ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି । ତେବେ ଆସନ୍ତା ୧ ବର୍ଷ ଭିତରେ ଏହା ସୁନିଶ୍ଚିତ ହୋଇଯିବ ଯେ, ଦେଶରେ କିଏ ସରକାର ଗଠନ କରିବ । ଆମେ ସବୁ ଏକାଠି ହେଇ ରହିବା , ଆମେ ଦଙ୍ଗା ଚାହୁଁନୁ, ଶାନ୍ତି ଚାହୁଁଛୁ । ଦେଶ ବାଣ୍ଟିବାକୁ ଚାହୁଁନୁ ବୋଲି କହିଛନ୍ତି ମମତା ।