ମୁଁ ଯବାନ ହେବି, ସୀମାରେ ଶତ୍ରୁଙ୍କ ସହ ଲଢେଇ କରିବି । ପାଠ ପଢି ଦେଶ ସେବା କରିବାକୁ ସଂଘର୍ଷ କରୁଛି ମାଲକାନଗିରିର ସାଗର

1,255

କନକ ବ୍ୟୁରୋ: ମୁଁ ପାଠ ପଢିବି, ଯବାନ ହେବି । ଆଉ ସୀମାରେ ଶତ୍ରୁଙ୍କ ସହ ଲଢେଇ କରି ମୋ ଦେଶକୁ ରକ୍ଷା କରିବି । ଘର ଘର ବୁଲି କ୍ଷୀର ବିକୁଥିବା ଏ କୁନି ପିଲା ସୈନିକଟେ ହେବାର ସ୍ୱପ୍ନ ଦେଖିଛି । ଆଉ ନିଜ ସ୍ୱପ୍ନକୁ ସାକାର କରିବାକୁ ସବୁଦିନ ସଙ୍ଘର୍ଷ କରୁଛି ।

ତେବେ ସକାଳ ହେବା କ୍ଷଣି ହାତରେ କ୍ଷୀର ବୋତଲ, ପାଦରେ ଚପଲ ଆଉ ସାଇକେଲରେ ବ୍ୟାଗଟେ ଓହଳାଇ ଘରୁ ବାହାରି ଯାଏ ସାଗର । ସ୍କୁଲ ଯିବା ପୂର୍ବରୁ ଏମିତି ସବୁଦିନ କ୍ଷୀର ବିକେ ଆଉ କ୍ଷୀରରୁ ଯେଉଁ ଟଙ୍କା ମିଳେ ସେଥିରେ ସେ ନିଜ ପଢା ଖର୍ଚ୍ଚ ସହ ଟ୍ୟୁସନ ଫି ଦିଏ ।

ପାଠ ପାଇଁ ସଂଘର୍ଷ କରୁଥିବା ଦଶମ ଶ୍ରେଣୀର ଛାତ୍ର ଜଣଙ୍କ ହେଉଛନ୍ତି ସାଗର ରାୟ । ଘର ମାଲକାନଗିରି ଜବରଦଖଲ କଲୋନୀରେ । ଘରେ ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ନିଜ ପାଠ ଖର୍ଚ୍ଚ ନିଜେ ବହନ କରୁଛି ସାଗର । ସେପଟେ ବାପା ବଜାରରେ ମାଛ ବିକି ଘର ଚଳାଉଥିବାରୁ ପୁଅର ପାଠ ପଢା ପାଇଁ ଟଙ୍କା ଯୋଗାଡ କରିବା କଷ୍ଟ ହେଉଛି ।

ତେବେ ପୂର୍ବରୁ ଘରର ଆର୍ଥିକ ଅନଟନ ପାଇଁ ସାଗରର ବଡ ଭାଇ ଓ ବଡ ଭଉଣୀ ପାଠ ଛାଡିଥିଲେ । ମାତ୍ର ନିଜ ସ୍ୱପ୍ନ ଅଧାରେ ରହି ନଯାଉ ସେହି ସଂକଳ୍ପ ନେଇ ପାଠ ପାଇଁ ଅହରହ ସଂଘର୍ଷ କରୁଛି ସାଗର । ତେବେ ପରିବାର ରହୁଥିବା ଜାଗାର ଜମି ପଟ୍ଟା ନଥିବାରୁ ବ୍ୟବସାୟ ପାଇଁ ବ୍ୟାଙ୍କରୁ କୌଣସି ଲୋନ ମିଳୁନି ତେଣୁ ପର ପାଖରେ କାମ କରି ବାପାଭାଇ ଘର ଚଳାଉଥିବାରୁ ସେମାନଙ୍କ ଉପରେ ବୋଝ ନହେବାକୁ ନିଜ ପଢା ଖର୍ଚ୍ଚ ନିଜେ ବହନ କରୁଛି ସାଗର ।

ଗରିବ ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବାକୁ ଆଉ ତାଙ୍କୁ ଆଗକୁ ନେବାକୁ ସରକାର ଅନେକ ଯୋଜନା କରୁଥିବା ବେଳେ ପାଠ ପାଇଁ ସଂଘର୍ଷ କରୁଥିବା ଏ ସାଗର ପାଇଁ ସରକାର କିମ୍ବା ପ୍ରଶାସନ ସହାୟତା ଦିଅନ୍ତୁ ବୋଲି ଦାବି କରିଛନ୍ତି ପଡୋଶୀ ।