ମେକ୍ ଇନ୍ ଓଡିଶାରେ ସ୍ୱପ୍ନ ଦେଖାଇଲେ ଦେଶର ବଡ ବଡ ଶିଳ୍ପପତି ! ଜାଣନ୍ତୁ ଓଡିଶାରେ କେଉଁ ଶିଳ୍ପପତି କେତେ ଟଙ୍କାର ନିବେଶ କରିବେ ?

ମେକ୍ ଇନ୍ ଓଡିଶା କନକ୍ଲେଭରେ ନିବେଶର ଲମ୍ବା ପ୍ରତିଶୃତି ଦେଲେ ଦେଶର ବିଶିଷ୍ଟ ଶିଳ୍ପପତି

204

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରେ ଦେଶର ସବୁଠୁ ବଡ଼ ବଡ଼ ଶିଳ୍ପପତି ଏକାଠି ହୋଇଥିଲେ । ଅବସର ଥିଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଦ୍ୱିତୀୟ ସଂସ୍କରଣର- ବିଜନେସ୍ ଲିଡରସିପ୍ ସମିଟ୍ । ସମ୍ମିଳନୀରେ ଯୋଗ ଦେଇ ନିବେଶର ଲମ୍ବା ପ୍ରତିଶ୍ରୁତି ଦେଇଛନ୍ତି ଦେଶର ବିଶିଷ୍ଟ ଶିଳ୍ପପତି । କେବଳ ସେତିକି ନୁହେଁ, ଓଡ଼ିଶାର ପ୍ରଶଂସାରେ ଶତମୁଖ ହୋଇଛନ୍ତି ଏହି ବିଜନେସ୍ ଟାଇକୁନ୍ ।

ମେକ୍ ଇନ୍ ଓଡ଼ିଶାରେ ଆଜି ଏଭଳି କିଛି ପ୍ରତିଶ୍ରୁତି ମିଳିଛି, ଯଦି ତାହା ବାସ୍ତବତାରେ ପରିଣତ ହେବ, ତେବେ ଗରିବ ଓ ପଛୁଆ ରାଜ୍ୟର ଅପଖ୍ୟାତିରୁ ମୁକୁଳି ଶିଳ୍ପ ଜଗତରେ ଏକ ଆଗୁଆ ରାଜ୍ୟରେ ପରିଣତ ହେବ ଓଡ଼ିଶା । କନକ୍ଲେଭରେ ସାମିଲ ହୋଇ ମୁକେଶ ଅମ୍ବାନୀ କହିଛନ୍ତି, ମେକ୍ ଇନ୍ ଓଡ଼ିଶାକୁ ମେକ୍ ଏ ନିଉ ଓଡ଼ିଶା ଗଢ଼ି ତୋଳିବାରେ ରାଜ୍ୟ ସରକାରଙ୍କ ସହଭାଗୀ ହେବ ଜିଓ ଡିଜିଟାଲ । ଡାଟା ବ୍ୟବହାରରେ ଓଡ଼ିଶା ଆଗୁଆ ରାଜ୍ୟ ବୋଲି କହିଛନ୍ତି ମୁକେଶ । ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡ଼ିଶାର ଅଧିକ ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛନ୍ତି ମୁକେଶ ଅମ୍ବାନୀ ।

ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଳମ ବିର୍ଲା ଓଡିଶାରେ ୧୪ ହଜାର ୪୦୦ ଟଙ୍କା କୋଟି ନିବେଶ ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡା ୨୦୩୦ ସୁଦ୍ଧା ଜିନ୍ଦଲ ଷ୍ଟିଲ୍ର ଉତ୍ପାଦନ ୨୦ ମିଲିୟନ ଟନ ବଢାଇବାକୁ ଲକ୍ଷ୍ୟ ରଖିଛି ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ । ରାଜ୍ୟରେ ୧ଲକ୍ଷ କୋଟି ଟଙ୍କା ପୁଂଜିନିବେଶ ବୃଦ୍ଧି ହେବ ଏବଂ ଏହାଦ୍ୱାରା ୧ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି ଜେଏସପିଏଲ୍ ମୁଖ୍ୟ ନବୀନ ଜିନ୍ଦଲ ।

ଷ୍ଟିଲ୍ ପ୍ଲାଂଟକୁ ୩ ମିଲିୟନ୍ ଟନରୁ ୮ ମିଲିୟନ ଟନକୁ ସଂପ୍ରସାରଣ କରିବାକୁ ପ୍ରତିଶ୍ରୁତି ଦେଇଛି ଟାଟା । ଏଥିପାଇଁ ନିବେଶ ହେବ ୨୩ ହଜାର ୫୦୦ କୋଟି ଟଙ୍କା । ସେହିପରି କନକ୍ଲେଭରେ ଯୋଗ ଦେଇ ନିବେଶ ପାଇଁ ଲମ୍ବା ପ୍ରତିଶ୍ରୁତି ଦେବା ସହ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ବେଦାନ୍ତ ରିସୋର୍ସେସ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍ ଓ ଜେଏସଡବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲ ।ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ୫ ଦିନିଆ କନକ୍ଳେଭରେ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ଆଶା କରିଛି ଓଡ଼ିଶା । ପୁଂଜିନିବେଶ ବ୍ୟତୀତ ଦେଶବିଦେଶରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ଭରପୂର ଉଦ୍ୟମ କରାଯାଉଛି ।