ଗାନ୍ଧିଜୀଙ୍କୁ କ୍ରିକେଟ କରିଥିଲା ପାଗଳ ! ଜାଣନ୍ତୁ ବାପୁ ବ୍ୟାଟିଂ କରୁଥିଲେ ନା ବୋଲିଂ ।

108

ଆଜି ଅକ୍ଟୋବର ୨ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀ । ଆଜି ସମସ୍ତେ ଜାତିରପିତା ମହାତ୍ମା ଗାନ୍ଧିଙ୍କୁ ମନେ ପକାଉଛନ୍ତି । ତେବେ ବାପୁଙ୍କୁ ନେଇ ଏପରି ଏକ ରହସ୍ୟ, ଯାହା ଆପଣ ନିଶ୍ଚିତଭାବେ ଜାଣିବା ପାଇଁ ଚାହିଁବେ । ଯେଉଁମାନେ ମହାତ୍ମା ଗାନ୍ଧିଙ୍କର ଆତ୍ମକଥା ସହ ପରିଚିତ, ସେମାନେ ଜାଣିଥିବେ ଯେ, ବାପୁ ଯେତେବେଳେ ସ୍କୁଲ ଯାଉଥିଲେ, ତାଙ୍କୁ ଶାରୀରିକ ବ୍ୟାୟାମ କରିବା ଆଦୌ ପସନ୍ଦ ନଥିଲା । କିନ୍ତୁ କ୍ରିକେଟ ପ୍ରତି ତାଙ୍କର ରୁଚି ଥିବା ବହୁତ କମ ଲୋକ ଜାଣିଥିବେ ।

‘ମହାତ୍ମା ଅନ୍ ଦ ପିଚ୍: ଗାନ୍ଧି ଆଣ୍ଡ କ୍ରିକେଟ୍ ଇନ୍ ଇଣ୍ଡିଆ’ ନାମକ ଏକ ପୁସ୍ତକରେ ଉଲ୍ଲେଖ ରହିଛି ଯେ, କିପରି ବାପୁ ଏହି ବ୍ରିଟିଶ ଖେଳର ଆନନ୍ଦ ନେଉଥିଲେ । ନା କେବଳ ସେ କ୍ରିକେଟକୁ ଭଲ ପାଉଥିଲେ ବରଂ ସେ କ୍ରିକେଟ୍ ଖେଳରେ ପୁରା ମଜି ରହୁଥିଲେ । ହାଇସ୍କୁଲରେ ଗାନ୍ଧିଜୀଙ୍କର ଜଣେ ସହପାଠୀ ରତିଲାଲ୍ ଗେଲାଭାଇ ମେହତା ତାଙ୍କୁ ସାନଦାର କ୍ରିକେଟରର ମାନ୍ୟତା ଦେବା ସହ କହିଥିଲେ ଯେ, ସେ ଗାନ୍ଧିଜୀଙ୍କ ସହ ଅନେକ ଥର କ୍ରିକେଟ୍ ଖେଳିଛନ୍ତି । ଏବଂ ବାପୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଥିବା ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଥରେ ଗାନ୍ଧିଜୀଙ୍କ ସହ ସେ ଏକ କ୍ରିକେଟ ମ୍ୟାଚ ଦେଖୁଥିଲେ । ଏହି ମ୍ୟାଚରେ ରାଜକୋଟ ସିଟି ଏବଂ ରାଜକୋଟ ସଦର ମଧ୍ୟରେ ଜୋରଦାର ଟକ୍କର ହେଉଥିଲା । ମ୍ୟାଚର ଏକ ଘଡିସନ୍ଧି ମୂହୁର୍ତ୍ତରେ ବାପୁ କହିଥିଲେ ଯେ, ଏହି ବ୍ୟାଟ୍ସମ୍ୟାନ ଏବେ ଆଉଟ୍ ହୋଇଯିବ । ଏବଂ ସତକୁ ସତ ବ୍ୟାଟ୍ସମ୍ୟାନ ଜଣଙ୍କ ଆଉଟ ହୋଇଯାଇଥିଲେ । ଏହି ପୁସ୍ତକ ଛୋଟବେଳେ ଗାନ୍ଧିଜୀଙ୍କର ଖେଳ ପ୍ରତି ଥିବା ଭଲପାଇବାରୁ ଆରମ୍ଭ ହୋଇଛି ଏବଂ ଭାରତରେ କ୍ରିକେଟର ବିକାଶର ଗାଥା ବଖାଣୁଛି ।