୨୦୨୪ ପାଇଁ ରାଜ୍ୟ ବିଜେପିର ନିର୍ବାଚନ ପ୍ରସ୍ତୁତି: କାଲି କାର୍ଯ୍ୟକାରିଣୀରେ ଆସିବ ଚିଠା ପ୍ରସ୍ତାବ

117

କନକ ବ୍ୟୁରୋ: ବିଗତ ଉପନିର୍ବାଚନ ହେଉ କି ପଂଚାୟତ ହେଉ କିମ୍ବା ପୌର ନିର୍ବାଚନ ହେଉ , ସବୁଥିରେ ବିଜେଡି ବାଜିମାତ କରୁଛି । ଏଭଳି ସ୍ଥିତିରେ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ଚ୍ୟାଲେଞ୍ଜ ଆହୁରି ବଢିଯାଉଛି । ଏହାରି ଭିତରେ ୨୦୨୪ ନିର୍ବାଚନକୁ ଦଳ କେମିତି ଯିବ ସେନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଛି ବିଜେପି ।

ମଙ୍ଗଳବାର ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରଭାରୀମାନଙ୍କ ବୈଠକରେ ମାନଓ ମନ୍ଥନ ଚାଲିଛି କେମିତି ନବୀନ ସରକାରର ବିଜୟରଥକୁ ଅଟକାଇ ହେବ । ନେତାମାନେ ପ୍ରସ୍ତାବ ରଖୁଛନ୍ତି, କେମିତି ବିଜେଡିର ମୁକାବିଲା କରିବେ । ଏଥିପାଇଁ ବୁଧବାର ରାଜ୍ୟ କାର୍ଯ୍ୟକାରିଣୀ ଲାଗି ପ୍ରସ୍ତୁତ କରିଛି ପ୍ରସ୍ତାବ । ଯାହାକୁ ନେଇ ଆଗାମୀ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ଜରିଆରେ ଖସଡା ପ୍ରସ୍ତୁତ କରାଯିବ । ଏହାବାଦ ତାକୁ ନେଇ ଆଗାମୀ ତିନି ମାସ ତାର ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ରାଜ୍ୟ ବିଜେପି ।

୨୨ବର୍ଷର ଶାସନରେ ଘରେ ଘରେ ବିଜୁଳି ପହଂଚି ପାରିନି, ବେରୋଜଗାରୀ, ମହିଳାଙ୍କ ଉପରେ ଅତ୍ୟାଚାର , ରାଜ୍ୟରେ ଆଇନ ଶୃଂଖଳା ବିପର୍ଯ୍ୟସ୍ତ ବ୍ୟବସ୍ତାକୁ ପ୍ରସଙ୍ଗ କରିବ ବିଜେପି । ଏହାଛଡା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ବିଫଳତା, ବିନା ଟେଣ୍ଡରରେ ଠିକା କାମ ମିଳିବା ,ମହାନଦୀ ଶୁଖିବା ସମସ୍ୟା ଓ କେନ୍ଦ୍ରୀୟ ଯୋଜନାର ହରିଲୁଟ ଭଳି ପ୍ରସଙ୍ଗକୁ ଆଧାର କରି ଲୋକମାନଙ୍କ ପାଖକୁ ଯିବ ବିଜେପି ।

୨୦୧୯ରେ ୧୨୦ ମିଶନ ନେଇ ନିର୍ବାଚନକୁ ଓହ୍ଲାଇଥିବା ବିଜେପି ମାତ୍ର ୨୨ଟି ସିଟରେ ସୀମୀତ ରହିଯାଇଥିଲା । ଗତ ପଂଚାୟତ ଏବଂ ପୌର ନିର୍ବାଚନରେ ଦଳର ପ୍ରଦର୍ଶନ ଦୟନୀୟ ଥିଲା । ପୁଣିଥରେ ଅଂଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଥିବା ରାଜ୍ୟ ବିଜେପିକୁ କେମିତି ଓଡିଶାବାସୀ ଗ୍ରହଣ କରୁଛନ୍ତି ତାହା ୨୦୨୪ ସାଧାରଣ ନିର୍ବାଚନ ଫଳାଫଳରେ ଜଣାପଡିବ ।