ମହାରାଷ୍ଟ୍ର ରାଜନୀତିରେ ତୀବ୍ର ହେଉଛି କ୍ଷମତା ଲଢେଇ, ପଦାରେ ପଡିଲା ଏନସିପିର ଘରୋଇ କନ୍ଦଳ

181

କନକ ବ୍ୟୁରୋ : ଏନସିପି ବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟରେ ସବୁକିଛି ଠିକ୍ ଠାକ ଚାଲିନାହିଁ । ପାର୍ଟିର ନେତା ଶରଦ ପାୱାର ଓ ତାଙ୍କ ଭଣଜା ଅଜିତ ପାୱାରଙ୍କ ମଧ୍ୟରେ ଥିବା ଘରୋଇ କଳି ଏବେ ପଦାରେ ପଡିଛି । ଏବେ ମୁମ୍ବାଇର ଘାଟକୋପର ଠାରେ ହେବାକୁ ଥିବା ବୈଠକକୁ ଅଜିତ ପାୱାରଙ୍କୁ ନିମନ୍ତ୍ରଣ ମିଳିନାହିଁ । ଏହାକୁ ଶରଦ ପାୱାରଙ୍କ କ୍ଷମତା ଶୋ ବୋଲି କୁହାଯାଉଛି ।

ମୁମ୍ବାଇରେ ହେବାକୁ ଥିବା ଏହି ବୈଠକ ବିଜେପି ଓ ସିନ୍ଦେଗୋଷ୍ଠୀ ମେଣ୍ଟ ସରକାରଙ୍କ ନୀତି ବିରୋଧରେ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ଡକାଯାଇଛି । ଏହି ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାର ଯୋଗ ଦେଉଛନ୍ତି । ଏହାସହ ଏନସିପିର ରାଜ୍ୟ ଅଧ୍ୟକ୍ଷ ଜୟନ୍ତ ପାଟିଲ ଓ ଦଳର ବରିଷ୍ଠନେତାମାନେ ଯୋଗ ଦେବାକୁ ଯାଉଛନ୍ତି । ଏହାସହ ଜାମିନରେ ଥିବା ଦଳର ବରିଷ୍ଠ ନେତା ଅନିଲ ଦେଶମୁଖ ଓ ଛଗନ ଭୁଜବଳ ମଧ୍ୟରେ ବୈଠକରେ ସାମିଲ ହେଉଥିବା ବେଳେ ଅଜିତ ପାୱାରଙ୍କ ଭଳି ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ ନମିଳିବା ଅନେକ ଆଡକୁ ଇଶାରା କରୁଛି ।

ଏଭଳି ଘଟଣାକୁ ନେଇ ,ରାଜନୈିତିକ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ଆଶଙ୍କା କରିବାରେ ଲାଗିଛନ୍ତି । କିଛି ଜଣଙ୍କ କହିବା କଥା ଶରଦ ପାୱାର ଏବେ ଭଣଜା ଅଜିତ୍ ପାୱାରଙ୍କୁ ଭରସା କରିପାରୁ ନାହାଁନ୍ତି । ସେପଟେ ଅନ୍ୟ କିଛି ରାଜନୈତିକ ବିଶେଷଜ୍ଞଙ୍କ ମତରେ ଅଜିତ ପାୱାର ବିଜେପିରେ ଯୋଗ ଦେଇପାରନ୍ତି ।

ଅନ୍ୟପଟେ କିଛିଦିନ ତଳେ ଅଜିତ ପାୱାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପ୍ରୋଫାଇଲରୁ ଏନସିପିର ଦଳୀୟ ଚିହ୍ନ ହଟାଇ ଦେଇଥିଲେ । ଏହାପରେ ଅଜିତ୍ ପାୱାର ବିଜେପିରେ ଯୋଗ ଦେଉଥିବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ହେଲେ ଏହାକୁ ଗଣମାଧ୍ୟମ ସାମ୍ନାରେ ଖଣ୍ଡନ କରିଥିଲେ ଅଜିତ ପାୱାର ।