ମନ୍ତ୍ରୀପଦ ପାଇଁ ମତଭେଦ: ‘ମହା’ରାଜା ବଛାହେଲେ ମାତ୍ର ହେଉନି ମନ୍ତ୍ରିମଣ୍ଡଳ ? ଅନେକ ଆଶାୟୀ ଥିବାରୁ ମହାରାଷ୍ଟ୍ରରେ ସଂପ୍ରସାରଣ ହୋଇପାରୁନି ମନ୍ତ୍ରିମଣ୍ଡଳ । ୩୦କୁ ଘୁଞ୍ଚିଲା ତାରିଖ

646

କନକ ବ୍ୟୁରୋ: ମହାରାଜା ବଛାଗଲା ମାତ୍ର ମନ୍ତ୍ରିମଣ୍ଡଳ ଏ ପର୍ଯ୍ୟନ୍ତ ହୋଇ ପାରିଲାନି । ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଦିନ ଘୁଞ୍ଚି ଘୁଞ୍ଚି ଯାଉଥିବା ବେଳେ ପୁଣି ଥରେ ସଂପ୍ରସାରଣକୁ ସ୍ଥଗିତ ରଖାଯାଇଛି । ମନ୍ତ୍ରୀମାନଙ୍କ ନାଁ ଚୂଡ଼ାନ୍ତ ହୋଇପାରୁ ନଥିବାରୁ ସଂପ୍ରସାରଣ ଡିସେମ୍ବର ୩୦କୁ ଘୁଞ୍ଚେଇ ଦିଆଯାଇଛି । ସୂଚନା ଅନୁସାରେ କଂଗ୍ରେସ ନିଜର ମନ୍ତ୍ରୀ ତାଲିକା ଚୂଡ଼ାନ୍ତ କରିପାରୁ ନଥିବାରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବିଳମ୍ବିତ ହେଉଛି ।

କଂଗ୍ରେସର ୧୦ ଜଣ ବିଧାୟକ ମନ୍ତ୍ରୀ ପଦ ପାଇବେ । କିନ୍ତୁ ଅଧିକାଂଶ ବିଧାୟକ ମନ୍ତ୍ରୀପଦ ପାଇଁ ଆଶାୟୀ ଥିବାରୁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇପାରୁନାହିଁ । ଏହି ପ୍ରସଙ୍ଗରେ ଦଳୀୟ ବିଧାୟକ ଓ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ ମଧ୍ୟରେ ତିନି ଥର ବୈଠକ ହୋଇଥିଲେ ମଧ୍ୟ କୌଣସି ସହମତି ହୋଇପାରୁନାହିଁ ।

ତିନି ମେଣ୍ଟ ସଦସ୍ୟ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଶିବସେନା ଓ ଏନସିପି ୧୧ଟି ଲେଖାଏଁ ଓ କଂଗ୍ରେସ ୧୦ଟି ମନ୍ତ୍ରୀ ପଦ ପାଇବ । ଏନସିପି ନେତା ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ପଦ ପାଇବାର ସମ୍ଭାବନା ରହିଛି ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗତ ନଭେମ୍ବର ୨୮ ତାରିଖରେ ମହାରାଷ୍ଟ୍ରର ୨୯ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହ କଂଗ୍ରେସ, ଶିବସେନା ଓ ଏନସିପିର ମୋଟ ୬ ଜଣ ମନ୍ତ୍ରୀ ଯଥା ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ, ଏନସିପିର ଛଗନ ଭୁଜବଳ, ଜୟନ୍ତ ପାଟିଲ, କଂଗ୍ରେସର ବାଲାସାହେବ ଥୋରାଟ ଓ ନିତିନ ପାଟିଲ ଶପଥ ନେଇଥିଲେ ।