ଆକାଶରେ ୩ ଘଣ୍ଟାରୁ ଅଧିକ ଚାଲିବ ଛାଇ ଆଲୁଅର ଖେଳ: ସକାଳ ୮ଟା ୧୭ରୁ ଆରମ୍ଭ ହେବ ସୂର୍ଯ୍ୟପରାଗ । ଓଡିଶାରେ କେତେବେଳେ ହେବ ସମ୍ପୂର୍ଣ୍ଣ ଦୃଶ୍ୟମାନ ଜାଣନ୍ତୁ…

1,498

କନକ ବ୍ୟୁରୋ: ଆସନ୍ତାକାଲି ଚଳିତ ଦଶନ୍ଧିର ଶେଷ ସୂର୍ଯ୍ୟପରାଗ । ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ହେଉଥିବା ବେଳେ ଦକ୍ଷିଣ ଭାରତ କିଛି ଅଂଚଳରେ ଏହା ବଳୟ ସୂର୍ଯ୍ୟପରାଗ ଭାବେ ଦୃଶ୍ୟମାନ ହେବ । ଅବଶ୍ୟ ଓଡିଶାରେ ଏହା ଆଂଶିକ ସୂର୍ଯ୍ୟପରାଗ ଭାବେ ଦେଖାଯିବ । ସାଧାରଣ ଲୋକଙ୍କୁ ସୂର୍ଯ୍ୟପରାଗ ଦେଖିବା ପାଇଁ ପଠାଣୀସାମନ୍ତ ପ୍ଲାନେଟାରିଅମରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଅନ୍ୟପଟେ ପୁରୀ ଶ୍ରୀମନ୍ଦିରରେ ପରାଗ ପାଇଁ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି ଏବଂ ଆଜି ସାରା ରାତି ଖୋଲା ରହିବ ମନ୍ଦିର ।

ତେବେ ବକୁଳ ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ରହିଛି ସ୍ୱତନ୍ତ୍ର ନୀତି । ସାଧାରଣରେ ରାତି ୮ଟା ୧୭ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ଥିବା ବେଳେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ତେଣୁ ବୁଧବାର ରାତିରେ ଶ୍ରୀଜିଉଙ୍କର ପହଡ ହେବ ନାହିଁ । ଅର୍ଥାତ ସାରାରାତି ଖୋଲା ରହିବ ଶ୍ରୀମନ୍ଦିର । ଏହା ସହ ଗୁରୁବାର ସକାଳ ୮.୨୦ରେ ସୂର୍ଯ୍ୟପରାଗ ସମୟରେ ସ୍ୱତନ୍ତ୍ର ଖଇକୋରା ଭୋଗ ଲାଗିବାର ନୀତି ବ୍ୟବସ୍ଥା ରହିଛି ।

ଗୁରୁବାର ଦିନ ସୂର୍ଯ୍ୟପରାଗ ସକାଳ ୮ଟା ୨୦ ମିନିଟରେ ଆରମ୍ଭ ହୋଇ ୧୧ଟା ୨୮ ମିନିଟରେ ଶେଷ ହେବ । ମହାକାଶରେ ୩ ଘଂଟାରୁ ଅଧିକ ସମୟ ଚାଲିବ ଛାଇ ଆଲୁଅର ଲୁଚକାଳି ଖେଳ । ଓଡ଼ିଶାରେ ସର୍ବାଧିକ ପରାଗ ଦେଖାଯିବ ସକାଳ ୯ଟା ୪୬ ମିନିଟରେ । ସେତେବେଳେ ସୂର୍ଯ୍ୟକୁ ଚନ୍ଦ୍ର ପ୍ରାୟ ୫୫-୬୫ ପ୍ରତିଶତ ଘୋଡ଼ାଇ ଦେବ । ସୂର୍ଯ୍ୟର ଆଲୋକ ମଳିନ ପଡ଼ିବା ସହ ଅଧା ଖଣ୍ଡିଆ ଦେଖାଯିବ । ଦକ୍ଷିଣ ଭାରତର ଅଳ୍ପ କେତେକ ସ୍ଥାନରେ ଏହା ବଳୟ ପରାଗ ଭାବେ ଦେଖାଯିବ ।

ସୂର୍ଯ୍ୟ ଚାରିପଟେ ପୃଥିବୀ, ପୃଥିବୀ ଚାରିପଟେ ଘୁରି ବୁଲୁଛି ଚନ୍ଦ୍ର । ଯେତେବେଳେ ସୂର୍ଯ୍ୟ ଓ ପୃଥବୀ ମଧ୍ୟରେ ଚନ୍ଦ୍ର ଏକ ସରଳରେଖା ଓ ଏକ ସମତଳରେ ରହିଲେ ସୂର୍ଯ୍ୟପରାଗ ହୋଇଥାଏ । ସୂର୍ଯ୍ୟକୁ ଘୋଡ଼ାଇ ଦେଇଥାଏ ଚନ୍ଦ୍ର । ଚନ୍ଦ୍ରର ଛାଇ ପଡିଥାଏ ପୃଥିବୀ ଉପରେ । ତେବେ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ବାରଣ କରାଯାଇଛି । ତେବେ ସୌର ଚଷମା ପିନ୍ଧି ଏହି ବିରଳ ଦୃଶ୍ୟ ଦେଖିହେବ । ପଠାଣୀ ସାମନ୍ତ ପ୍ଲାନେଟାରିୟମ ଓ ଅନ୍ୟ ସ୍ଥାନରେ ଏହି ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।