ପୁଣି ଘୁଞ୍ଚିଲା ମହାନଦୀ ଶୁଣାଣି । ଓଡ଼ିଶା ଦାଖଲ କଲା ସମସ୍ତ ଦସ୍ତାବିଜ, ସେପ୍ଟେମ୍ବର ୨୮ରେ ହେବ ପରବର୍ତ୍ତୀ ଶୁଣାଣି

145

କନକ ବ୍ୟୁରୋ: ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବୁନାଲରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ ହୋଇଛି । ତେବେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

ମହାନଦୀ ଉପରେ ଛତିଶଗଡ଼ ନିର୍ମାଣ କରୁଥିବା ଛଅଟି ବ୍ୟାରେଜ୍ ଉପରେ ରହିତାଦେଶ ଲାଗୁ କରିବା ଏବଂ ଅଣମୌସୁମୀ ସମୟରେ ଓଡ଼ିଶ ପଟ ମହାନଦୀକୁ ୧. ୭୪ ମିଲିୟନ୍ ଏକର୍ ଫୁଟ୍ ଜଳ ଛଡ଼ାଯାଉ ବୋଲି ମଧ୍ୟବର୍ତ୍ତୀକାଳୀନ ଆବେଦନରେ ଓଡ଼ିଶା ଦାବି କରିଥିଲା । ଆଉ ଏଏମ୍ ଖାନଓ୍ଵିଲକରଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠରେ ଆଜି ଓଡ଼ିଶା ସତ୍ୟପାଠ ଏବଂ ସମସ୍ତ ଦସ୍ତାବିଜ୍ ଦାଖଲ କରିଛି ବୋଲି ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା କହିଛନ୍ତି ।

ଉଭୟ ପକ୍ଷଙ୍କୁ ଘଟଣାସ୍ଥଳ ପରିଦର୍ଶନ ପାଇଁ ପୂର୍ବରୁ ଟ୍ରିବୁନାଲ୍ ନିର୍ଦେଶ ଦେଇଥିଲେ ବି ବର୍ଷାଋତୁ ଯୋଗୁଁ ତାହା ସମ୍ଭବପର ହୋଇ ନାହିଁ ବୋଲି ଉଭୟ ପକ୍ଷ ଟ୍ରିବ୍ୟୁନାଲଙ୍କୁ କହିଛନ୍ତି । ଆସନ୍ତା ୨୮ ତାରିଖରେ ହେବାକୁଥିବା ଶୁଣାଣିରେ ଛତିଗଡ଼ର ଉତ୍ତର ଅନ୍ୟ ପକ୍ଷମାନେ ଦେବେ। ସେପଟେ ଟ୍ରିବ୍ୟୁନାଲ୍ ପକ୍ଷରୁ ଏପର୍ଯ୍ୟନ୍ତ ଆସେସର୍ ମଧ୍ୟ ନିଯୁକ୍ତ ହୋଇ ନ ଥିବା କଥା ଜଣାପଡ଼ିଛି ।