ଗଣେଶ ମୂର୍ତ୍ତି କାରିଗରର ଗାଁ ମହାକାଳପଡା । ୪୦ ପରିବାରକୁ ରୋଜଗାର ଦେଇଛି ମୂର୍ତ୍ତି ନିର୍ମାଣ

147

କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ଗଣେଶ ପୂଜା । ଏଥିପାଇଁ ସବୁଆଡ଼େ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୂର୍ତ୍ତି ଗୁଡ଼ିକକୁ ବିଭିନ୍ନ ରଙ୍ଗ ଦେବା ସହ ସାଜସଜା କରିବାରେ ଲାଗିପଡ଼ିଛନ୍ତି ମୂର୍ତ୍ତି କାରିଗର । ତେବେ ପାର୍ବଣ ରୁତୁ ଆସିଲେ ଚଳଚଂଚଳ ହୋଇପଡ଼େ କଟକ ଜିଲ୍ଲାର ମାହାକାଳପଡ଼ା ଗାଁ । ଏହି ଗାଁର ପ୍ରାୟ ୪୦ରୁ ଉଦ୍ଧ୍ୱର୍ ପରିବାର ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରନ୍ତି । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ପ୍ରଭାବିତ ହୋଇଥିଲା ବ୍ୟବସାୟ । ତେଣୁ ଚଳିତ ବର୍ଷ ଭଲ ବ୍ୟବସାୟ ଆଶା ରଖିଛନ୍ତି କାରିଗର ।

ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ପୂର୍ବପରି ସମସ୍ତ ପୂଜା ମଣ୍ଡପରେ ବିଭିନ୍ନ ଦେବା ଦେବୀଙ୍କ ପୂଜାର୍ଚ୍ଚନା ହୋଇପାରିବ । ଉତ୍ସବ ମୁଖର ହୋଇ ଉଠିବ ସମସ୍ତ ପୂଜା ମଣ୍ଡପ । ଚଳିତ ବର୍ଷ ମୂର୍ତ୍ତି ଉଚ୍ଚତାରେ କଟକଣା ନାହିଁ । ସେଥିପାଇଁ ଲୋକଙ୍କ ପସନ୍ଦ ଓ ବିଭିନ୍ନ ପୂଜା କମିଟିର ବରାଦ ଅନୁଯାୟୀ ମୂର୍ତ୍ତି ଗଢିବାରେ ବ୍ୟସ୍ତ ଅଛନ୍ତି ଯାଜପୁରର କାରିଗର ।

ସେହିପରି ବାଲେଶ୍ୱର ସୋର ବ୍ଲକ ଖୁଂଟା ଗାଁର ମୂର୍ତ୍ତି କାରିଗର ମାନେ ମଧ୍ୟ ଗଣେଶ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ଦୁଇମାସ ଆଗରୁ ମୂର୍ତ୍ତି ତିଆରି ପାଇଁ ପ୍ରସ୍ତୁତି କରୁଛନ୍ତି କାରିଗର । ଏଥିପାଇଁ କଲିକତାରୁ ବିଭିନ୍ନ ପ୍ରକାର ସାମଗ୍ରୀ ଆଣି ମୂର୍ତ୍ତି ଗୁଡ଼ିକୁ ବେଶ ଆକର୍ଷଣୀୟ କରିଛନ୍ତି ।

ମୂର୍ତ୍ତୀ ତିଆରି ପାଇଁ ମାଟି, ବାଉଁଶ, ଛଣ, ସୁତୁଲି ଭଳି ଅନେକ ସରଞ୍ଜାମ ଆବଶ୍ୟକ ହୋଇଥାଏ । ମୂର୍ତ୍ତୀର ଦାମ୍, ଉଚ୍ଚତା ଓ ଚାହିଦା ମୁତାବିକ୍ କମ୍ ବେଶି ରହିଥାଏ । ପାର୍ବଣ ରୁତୁରେ ଯାହା ରୋଜଗାର ହୁଏ ସେଥିରେ ବର୍ଷ ସାରା ଚଳିଥାଆନ୍ତି କାରିଗର । ଚଳିତ କରୋନା କଟକଣା ନଥିବାରୁ ଭଲ ରୋଜଗାର ହେବାର ଆଶା ରଖିଛନ୍ତି କାରିଗର ।