ରାଜ୍ୟର ସବୁ ନଦୀରେ ବଢୁଛି ଜଳସ୍ତର । ଚିନ୍ତାରେ ତଳିଆ ଅଞ୍ଚଳବାସୀ

90

କନକ ବ୍ୟୁରୋ: ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆଜି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ହୋଇପାରେ । ଅତ୍ୟଧିକ ବର୍ଷା ଯୋଗୁ ମାଟି ଅତଡା ଖସିବା ସହ ଭୂସ୍ଖଳନ ହେବା ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଂଟାରେ ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ ସର୍ବାଧିକ ୧୧୩ ଦଶମିକ ୪ ମିଲିମିଟର ବର୍ଷା ହୋଇଛି । ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଥିବାରୁ ନଦୀ କୂଳିଆ ତଥା ତଳିଆ ଅଞ୍ଚଳ ଲୋକ୍ଙକୁ ଚିନ୍ତା ଘାରୁଛି ।

ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଜଳକାର ଜଳସ୍ତର ମଥାନୀ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନିରେ ବିପଦ ସଂକେତ ୫ଦଶମିକ ୫୦ମିଟର ଥିବାବାଳେ ଜଳସ୍ତର ୫ଦଶମିକ ୯୦ ମିଟର ରହିଛି । କିନ୍ତୁ ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳସ୍ତର ଗତକାଲି ଅପେକ୍ଷା ଟିକେ କମ୍ ହୋଇଛି । ଗତକାଲି ନଦୀର ଜଳସ୍ତର ୬ଦଶମିକ ୨୯ ମିଟରରେ ପହଁଚିଥିଲା । କିନ୍ତୁ ଆଜିଠାରୁ ଆଉ ଏକ ଲଘୁଚାପ ହେବାକୁ ଥିବାରୁ ନଦୀ ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ନଦୀ କୂଳିଆ ଲୋକ ।