ରାଜସ୍ଥାନ ରାଜନୈତିକ ସଙ୍କଟ, ସଂଖ୍ୟା ଗଣିତରେ ଗେହଲଟ ଆଗୁଆ।

102

କନକ ବ୍ୟୁରୋ: ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରିରହିଛି । କିଏ ହେବେ ରାଜସ୍ଥାନ ଆଗାମୀ ମୁଖ୍ୟମନ୍ତ୍ରୀ ତାକୁ ନେଇ କଂଗ୍ରେସ ମଧ୍ୟରେ ବିଦ୍ରୋହ ଘନୀଭୂତ ହେଉଛି । ଗେହଲଟ ରହିବେ ନା ପାଇଲଟ ଆସିବେ ତାହା ସ୍ପଷ୍ଟ ହୋଇପାରୁନାହିଁ । ତେବେ ଏହି ସ୍ଥିତିରେ ରାଜସ୍ଥାନର ବିଧାନସଭାର ସଂଖ୍ୟା ଗଣିତରେ ଗେହଲଟ ଯଥେଷ୍ଟ ଆଗରେ ରହିଛନ୍ତି ।

ରାଜସ୍ଥାନ ବିଧାନସଭାରେ ୨ଶହ ବିଧାୟକ ରହିଛନ୍ତି । ବର୍ତ୍ତମାନ କଂଗ୍ରେସ ପାଖରେ ୧୦୮ ବିଧାୟକ ଥିବା ବେଳେ ବିଜେପି ପାଖରେ ୭୧ ବିଧାୟକଙ୍କ ସମର୍ଥନ ରହିଛି । ୧୩ ସ୍ୱାଧୀନ ବିଧାୟକ, ଆରଏଲପିର ୩, ବିଟିପିର ୨, ସିପିଆଇଏମର ୨, ଆରଏଲଡିର ଜଣେ ବିଧାୟକ ରହିଛନ୍ତି । ଗେହଲଟଙ୍କ ଗୋଷ୍ଠୀର ୮୨ ବିଧାୟକ ଇସ୍ତଫା ବାଚସ୍ପତିଙ୍କୁ ଦେଇସାରିଛନ୍ତି । ୧୬ ବିଧାୟକଙ୍କ ସମର୍ଥନ ସଚିନ ପାଇଲଟଙ୍କ ସପକ୍ଷରେ ରହିଛି । ତେବେ ୧୦ ବିଧାୟକ ବର୍ତ୍ତମାନ ସ୍ପଷ୍ଟ କରିନାହାନ୍ତି ସେମାନେ କାହାକୁ ସମର୍ଥନ ଦେବେ । ଏହି ସଂଖ୍ୟା ଗଣିତକୁ ଦେଖିଲେ ଅଶୋକ ଗେହଲଟଙ୍କ ପଲ୍ଲା ଭାରି ରହିଛି ।

ଗେହଲଟଙ୍କ ସମର୍ଥକ ବିଦ୍ରୋହୀ ଭୂମିକା ଆପଣେଇଛନ୍ତି । ଏହା ହେବା ଦ୍ୱାରା ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚୟନର ସଙ୍କଟ ବଢିବାରେ ଲାଗିଛି । ଗେହଲଟ ଗୋଷ୍ଠୀର ପ୍ରତାପ ସିଂହ ଖାଚରିଆବାସ କହିଛନ୍ତି ବର୍ତ୍ତମାନ ତ ଅଶୋକ ଗେହଲଟ ହିଁ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଲୋକତନ୍ତ୍ରର ନିର୍ବାଚନରେ ଭୋଟର ଗଣତିରେ ଫଇସଲା ହୋଇଥାଏ । ଲୋକତନ୍ତ୍ର ସଂଖ୍ୟା ଗଣିତରେ ହିଁ ଚାଲିଥାଏ । ବିଧାୟକ ଯାହା ସହ ରହିବେ ସେ ହିଁ ନେତା ହେବେ । କଂଗ୍ରେସର ହାଇକମାଣ୍ଡ ପୁରୁଣା କଥା ମନେପକାଇବା ଦରକାର ରାଜସ୍ଥାନରେ କେଉଁଭଳି ସରକାରକୁ ଅସ୍ଥିର କରାଯାଇଥିଲା । ଏହିଭଳି ଭାବେ ଗେହଲଟ ସଚିନଙ୍କ ରାସ୍ତାରେ କଣ୍ଟା ହୋଇରହିଛନ୍ତି ।

ତେବେ ସଚିନ ପାଇଲଟଙ୍କ ସପକ୍ଷରେ ଦିଲ୍ଲୀର ସହଯୋଗ ଅଧିକ ରହିଛି । କଂଗ୍ରେସର ନେତୃତ୍ୱ ଚାହୁଁଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ହୁଅନ୍ତୁ । ବିଧାୟକଙ୍କ ସର୍ତ୍ତ ମାନିବାକୁ କଂଗ୍ରେସ ନେତୃତ୍ୱ ଜମା ପ୍ରସ୍ତୁତ ନୁହନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ କହିବା ସହଜ ହେଉନାହିଁ ଯେ, କାହା ହାତକୁ ଯିବ ମୁଖ୍ୟମନ୍ତ୍ରୀ ଆସନ । ଗେହଲଟ ରହିବେ ନା ତାଙ୍କ ସ୍ଥାନ ପାଇଲଟ ନେବେ ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ ।