ଦଶହରା ଭିଡକୁ ସାବଧାନ୍ ! ପୂଜା ପେଣ୍ଡାଲରେ ବୁଲୁଛନ୍ତି ଲୁଟେରା, ଟାର୍ଗେଟରେ ମହିଳା । ରାଜଧାନୀରେ ଗୋଟିଏ ଦିନରେ ୫ ଜଣଙ୍କୁ ଲୁଟ୍ ।

414

କନକ ବ୍ୟୁରୋ : ମହାମାୟୀ ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଆଉ ମାଆଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜାମଣ୍ଡପରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଆଉ ଏହି ଭିଡର ଫାଇଦା ଉଠାଇ ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ୍ କରୁଛନ୍ତି ଲୁଟେରା । ଏଭଳି ଖବର ଆଜି ସମସ୍ତଙ୍କୁ ଚମକାଇ ଦେଇଛି । ମାଳ ମାଳ ସିସିଟିଭି ଲାଗିବା ସତ୍ୱେ ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ପୂଜାମଣ୍ଡପରେ ୩ ମହିଳାଙ୍କଠାରୁ ଲୁଟ୍ ହୋଇଥିବାବେଳେ ଷ୍ଟେସନବଜାର ମଣ୍ଡପରେ ଜଣଙ୍କ ମୋବାଇଲ୍ ଓ ଜଣଙ୍କ ସୁନା ଚେନ୍ ଲୁଟ୍ ହୋଇଛି । ସେହିପରି ରାଉରକେଲାରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି ଦୁବୃର୍ତ୍ତ ।

ସାବଧାନ ! ପୂଜା ମଣ୍ଡପ ଭିଡ଼ ଭିତରେ ବୁଲୁଛନ୍ତି ଲୁଟେରା । ଆପଣ ବି ହୋଇପାରନ୍ତି ଲୁଟର ଶିକାର । ପୂଜା ମଣ୍ଡପରେ ଭିଡ଼ ଯେପରି ବଢ଼ିବାରେ ଲାଗିଛି, ସେହିପରି ସକ୍ରୀୟ ହୋଇ ଉଠିଛନ୍ତି ଲୁଟେରା । ବିଶେଷ କରି ମହିଳାମାନେ ରହିଛନ୍ତି ସେମାନଙ୍କ ଟାର୍ଗେଟରେ । ସୁନା ଚେନ୍, ମୋବାଇଲ ଓ ଭ୍ୟାନିଟି ବ୍ୟାଗ ଉପରେ ରହିଛି ଲୁଟେରାଙ୍କ ଆଖି । ଭୁବନେଶ୍ୱର ଷ୍ଟେସନ ବଜାରରେ ଜଣେ ଯୁବତୀଙ୍କ ଠାରୁ ଲୁଟେରା ମୋବାଇଲ୍ ଝାମ୍ପି ଦେଇଥିବା ବେଳେ ସିସିଟିଭିରେ କଏଦ ହୋଇଯାଇଥିଲା ଦୃଶ୍ୟ । ସିଟିଟିଭି ଫୁଟେଜରୁ ଧରାପଡିଥିଲା ଲୁଟେରା ।

ଷ୍ଟେସନ ବଜାରରୁ ଆଉ ଜଣେ ମହିଳାଙ୍କ ସୁନା ଚେନ୍ ଲୁଟି ନେଇଛନ୍ତି ଲୁଟେରା । ମଣ୍ଡପକୁ ଆସିବାର ମାତ୍ର କିଛି ମିନିଟ୍ ଭିତରେ ତାଙ୍କ ବେକରୁ ଗାଏବ ହୋଇ ଯାଇଥିଲା ସୁନା ଚେନ୍ । ସିସିଟିଭି ଫୁଟେଜରୁ ଲୁଟେରାକୁ ଚିହ୍ନଟ କରିବା ପାଇଁ ମହିଳା ଜଣକ ପ୍ରୟାସ କରିଥିଲେ ବି ସଫଳ ହୋଇନାହାନ୍ତି ।

ରାଜଧାନୀରେ ଦୁଇ ଦିନ ମଧ୍ୟରେ ଅନେକ ଲୁଟ୍ ଘଟଣା ସାମନାକୁ ଆସିଛି । ନୂଆପଲ୍ଲୀ ପୂଜା ମଣ୍ଡପରୁ ଆଜି ୩ଟି ସୁନାଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଷ୍ଟମୀ ପୂଜା ଚାଲୁଥିବା ବେଳେ ସକାଳ ସାଢ଼େ ୯ଟା ବେଳେ ଜଣେ ମହିଳା ଲୁଟର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।

କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ଷ୍ଟିଲ ସିଟି ରାଉରକେଲାରୁ ବି ଆସିଛି ଲୁଟର ଅଭିଯୋଗ । ଏଠାରେ ମାତିଛନ୍ତି ଆନ୍ତଃରାଜ୍ୟ ମହିଳା ଲୁଟେରା ଗ୍ୟାଙ୍ଗ । ଭିଡ଼ର ସୁଯୋଗ ନେଇ ଅତି ଚତୁରତାର ସହ ସୁନାଗହଣା ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି ଲୁଟେରା । ରାଉରକେଲାର ସେକ୍ଟର-୧୬ ପୂଜା ପେଣ୍ଡାଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଦୃଶ୍ୟ । ପ୍ରାୟ ୫ ଜଣ ମହିଳା ଲୁଟେରା, ଚତୁରତାର ସହ ଜଣେ ବୟସ୍କା ମହିଳାଙ୍କୁ ଘେରାବନ୍ଦୀ କରି ବେକରେ ଥିବା ୩ ଭରି ଓଜନର ସୁନାହାରକୁ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି । ସିସିଟିଭି ଭିଜୁଆଲ ଆଧାରରେ ପୋଲିସ ଛାନଭିନ୍ କରୁଛି । ମଣ୍ଡପକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସଜାଗ ରହିବାକୁ ପୋଲିସ ପ୍ରଶାସନ ପରାମର୍ଶ ଦେଇଛି ।