ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କ’ଣ ଥିଲା ୨୦୧୯ ନିର୍ବାଚନର ଫଳାଫଳ

496

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୨୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ହେଉଛି । ଏଥିରେ ପାଖାପାଖି ୧୬ କୋଟି ଭୋଟର ନେତୃତ୍ୱ ବାଛୁଛନ୍ତି । ଏହି ପର୍ଯ୍ୟାୟରେ ୧୬ ଶହରୁ ଅଧିକ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେପଟେ ଭୋଟର ଟର୍ନଆଉଟ ତଥ୍ୟ ମୁତାବକ ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ୪୦ ପ୍ରତିଶତ ମତଦାନ ହୋଇଥିଲା ।

ଏହି ମତଦାନ ଶେଷ ହେବା ପରେ ଦେଶର ୯ ଜଣ କେନ୍ଦ୍ରମନ୍ତ୍ରୀ, ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟା ଇଭିଏମରେ ସିଲ ହେବ । ସେପଟେ ଆଜି ଯେଉଁ ୧୦୨ ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି ସେହି ୧୦୨ ଆସନର ୨୦୧୯ ଫଳାଫଳକୁ ନଜର କଲେ ଏଥିରୁ ୪୦ ଟି ଆସନରେ ବିଜେପି, ୧୫ଟି ଆସନରେ କଂଗ୍ରେସ ଓ ୨୪ଟି ଆସନରେ ଡିଏମକେ ବିଜୟୀ ହୋଇଥିଲା ।

ତାମିଲନାଡୁର ସମସ୍ତ ୩୯ ଲୋକସଭା ଆସନ ପାଇଁ ଆଜି ଭୋଟଗ୍ରହଣ ହେଉଛି । ୨୦୧୯ ରେ ବିଜେପି ଏହି ୩୯ ଆସନ ମଧ୍ୟରୁ ଗୋଟିଏ ବି ଆସନ ଜିତିପାରି ନଥିଲା । ୨୦୧୯ ଲୋକସଭା ନିର୍ବାଚନରେ ଏହି ୧୦୨ ଆସନ ମଧ୍ୟରୁ ୪୦ ପ୍ରତିଶତ ଆସନ ବିଜେପି, ୧୫ ପ୍ରତିଶତ ଆସନ କଂଗ୍ରେସ ବିଜୟୀ ହୋଇଥିଲା । ହେଲେ ମେଣ୍ଟ କ୍ରମରେ ହିସାବ କଲେ ବିଜେପି ଓ କଂଗ୍ରେସ ପାଖାପାଖି ସମାନ ଆସନରେ ବିଜୟୀ ହୋଇଥିଲେ ।

ସେପଟେ ଏହି ୧୦୨ ଆସନ ମଧ୍ୟରୁ ବିଜେପି ୨୦୧୯ ନିର୍ବାଚନରେ ତୁଳନାରେ ଏଥର ଅଧିକ ଆସନରେ ପ୍ରତିଦ୍ୱନ୍ଦିତା କରୁଛି । ଏହି ୧୦୨ ଆସନ ମଧ୍ୟରୁ ବିଜେପି ୭୭ ଟି ଆସନରେ ପ୍ରାର୍ଥୀ ଦେଇଛି । ହେଲେ ସବୁଠାରୁ ଅଧିକ ୮୬ ଆସନରେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ଦେଇଛି । କଂଗ୍ରେସ ୫୬, ଡିଏମକେ ୨୨, ଏଆଇଏଡିଏମକେ ୩୬, ଆରଜେଡି ୪, ସମାଜବାଦୀ ପାର୍ଟି ୭, ଟିଏମସି ୫ ଆସନରେ ପ୍ରାର୍ଥୀ ଦେଇଛନ୍ତି ।

ଏହି ୧୦୨ ଆସନରେ ୨୦୧୯ ମସିହାରେ ବିଜେପି ୬୦ ଓ କଂଗ୍ରେସ ୬୫ଟି ଆସନରେ ପ୍ରାର୍ଥୀ ଦେଇଥିଲା । ହେଲେ ଏଥର ୨୦୧୯ ତୁଳନାରେ ବିଜେପି ଅଧିକ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ କମ୍ ଆସନରେ ପ୍ରାର୍ଥୀ ଦେଇଛି ।