ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ଆସନ୍ତା କାଲି ହେବାକୁ ଯାଉଛି ଲୋକସଭା ନିର୍ବାଚନ । ଦକ୍ଷିଣ ଭାରତରର ସବୁଠାରୁ ବଡ ରାଜ୍ୟ ତାମିଲନାଡୁରେ କ’ଣ ରହିଛି ରାଜନୀତି ଗଣିତ

163

କନକ ବ୍ୟୁରୋ : ଦେଶରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । କେଉଁ ରାଜ୍ୟରେ ୨ଟି ପର୍ଯ୍ୟାୟ ତ କେଉଁ ରାଜ୍ୟରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ହେଲେ ଦକ୍ଷିଣ ଭାରତର ସବୁଠାରୁ ବଡ ରାଜ୍ୟ କୁହାଯାଉଥିବା ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଓ ତାହା ପୁଣି ପ୍ରଥମ ପର୍ଯ୍ୟାୟରେ । ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ତାମିଲନାଡୁରେ ନିର୍ବାଚନ ପ୍ରଚାର ବୁଧବାର ସନ୍ଧ୍ୟାରୁ ବନ୍ଦ ହୋଇଯାଇଛି ।

ଲୋକସଭା ଆସନ ସଂଖ୍ୟା ଆଧାରରେ ତାମିଲନାଡୁ ହେଉଛି ଦକ୍ଷିଣ ଭାରତର ସବୁଠାରୁ ବଡ ରାଜ୍ୟ । ୧୯୬୭ ମସିହା ଠାରୁ ଏହି ରାଜ୍ୟର ଶାସନ କ୍ଷମତା ବିଶେଷ ଭାବେ ଦ୍ରାବିଡ ରାଜନୈତିକ ପାର୍ଟିମାନଙ୍କ ପାଖରେ ରହିଛି । ରାଜ୍ୟରେ ଅନେକ ରାଜନୈତିକ ଦଳ ଗଠନ ହୋଇଛି ପୁଣି ଭାଙ୍ଗିଛି, ହେଲେ ପ୍ରଥମେ ସଂଯୁକ୍ତ ଡିଏମକେ ଓ ପରେ ଏଆଇଏଡିଏମକେ ପାର୍ଟି ଗଠନ ହୋଇଥିଲା । କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି କେବଳ କ୍ଷେତ୍ରୀୟ ଭୋଟ ଆଧାରରେ ସେଠାରେ ରାଜନୀତି କରୁଛି । ଏହାସହ ବାମଦଳ ମଧ୍ୟ କିଛିମାତ୍ରାରେ ତାମିଲନାଡୁ ରାଜନୀତିରେ ପ୍ରଭାବ ବିସ୍ତାର କରିଛି   ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ଏଥର ୪୦୦ ଆସନ ହାତେଇବାକୁ ପ୍ରୟାସ କରିଛି । ଏହି କ୍ରମରେ ବିଜେପିର ନଜର ତାମିଲନାଡୁ ଉପରେ ଜୋର ଧରିଛି । ତାମିଲନାଡୁର ମୋଟ ୩୯ ଟି ଲୋକସଭା ଆସନ । ଏପ୍ରିଲ ୧୯ ତାରିଖ ଅର୍ଥାତ ଆସନ୍ତା କାଲି ସମସ୍ତ ଆସନରେ ଭୋଟଗ୍ରହଣ ହେବ । ଲୋକସଭା ଆସନକୁ ନଜର କଲେ ଦକ୍ଷିଣ ଭାରତର ଏହି ବଡ ରାଜ୍ୟରେ କ୍ଷମତାରେ ଥିବା ଏମକେ ଷ୍ଟାଲିନଙ୍କ ଡିଏମକେ ପାର୍ଟି ଏବେ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେଉଛି ।

ତାମିଲନାଡୁ ଏଭଳି ଏକ ରାଜ୍ୟ ଯେଉଁଠାରୁ ଇଣ୍ଡିଆ ମେଣ୍ଟ ସର୍ବାଧିକ ଲୋକସଭା ଆସନ ଜିତିବ ବୋଲି ଆଶା କରିଛି । ଆଶା କରିବା ବି ସ୍ୱଭାବିକ । କାରଣ ୨୦୧୯ ଲୋକସଭା ନିର୍ବାଚନରେ ଡିଏମକେ ମେଣ୍ଟ ରାଜ୍ୟର ୩୯ଟି ଆସନ ମଧ୍ୟରୁ ୩୮ ଟି ଆସନରେ ବିଜୟୀ ହୋଇଥିଲା ।

୨୦୧୯ ଭଳି ଚଳିତ ଲୋକସଭା ନିର୍ବାଚନରେ ତାମିଲନାଡୁରେ ୩ଟି ମେଣ୍ଟ ହୋଇଛି । କେନ୍ଦ୍ର କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏ, ଡିଏମକେ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ଓ ଏଆଇଏଡିଏମକେ କିଛି ଆଞ୍ଚଳିକ ଦଳଙ୍କୁ ନେଇ ଏକ ମେଣ୍ଟ ଗଠନ କରିଛି ।

ତାମିଲନାଡୁ ନିର୍ବାଚନରେ ଏନଡିଏ ଏଥର ଦୁର୍ନୀତି, ପରିବାରବାଦ ସହ କଚ୍ଚାତିବୁ ଦୀପ ପ୍ରସଙ୍ଗ ଉଠାଇ ଇଣ୍ଡିଆ ମେଣ୍ଟକୁ ଘେରିଛି । ସେପଟେ ସନାତନ ଧର୍ମକୁ ନେଇ ଉଦୟନିଧୀ ଷ୍ଟାଲିନଙ୍କ ବୟାନକୁ ମଧ୍ୟ ଅସ୍ତ୍ର କରିଛି ଏନଡିଏ । ତାମିଲନାଡୁ ବିଜେପି ଅଧ୍ୟକ୍ଷ ଆନ୍ନାମଲାଇ ଏଥର ନଦୀ ସଫେଇ, ଅର୍ନ୍ତରାଷ୍ଟ୍ରୀୟ ବିମାନବନ୍ଦର ଭଳି ପ୍ରତିଶ୍ରୁତି ଦେଇଛନ୍ତି ।

ସେହିଭଳି ଇଣ୍ଡିଆ ମେଣ୍ଟର ତାମିଲନାଡୁରେ ନେତୃତ୍ୱ ନେଉଥିବା ଏମକେ ଷ୍ଟାଲିନ ସରକାର ତାର ସଫଳତା ସହ ବିଜେପି ତାମିଲନାଡୁବାସୀଙ୍କ ଉପରେ ହିନ୍ଦୀ ଭାଷା ଲଦି ଦେବାର ଅଭିଯୋଗ ଆଣି ବିଜେପି ବିରୋଧରେ ପ୍ରଚାର କରୁଛି ।