ଏଥର ରୋଚକ ହେବ ବାରାମତୀ ଲଢେଇ? ଶରଦ ପାୱାରଙ୍କ ଝିଅ ବିରୋଧରେ ଲଢିବେ ୩୬ ବର୍ଷୀୟ ଶରଦ ପାୱାର । ପେଶାରେ ହେଉଛନ୍ତି ଜଣେ ଅଟୋ ଡ୍ରାଇଭର ।

803

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ସମୟରେ କିଛି ଖାସ୍ ସିଟକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ବିଶେଷକରି ଏମିତି କିଛି ସିଟ୍ ଅଛି, ଯାହା ଉପରେ ସଦା ସର୍ବଦା ଗଣମାଧ୍ୟମର ନଜର ରହିଥାଏ । ମହାରାଷ୍ଟ୍ରରେ ସେମିତି ଏକ ସିଟ୍ ହେଉଛି ବାରାମତୀ ଲୋକସଭା ସିଟ୍ । ଏଥର ଏହି ସିଟରୁ ଏନସିପି (ଅଜିତ୍ ପାୱାର ଗୋଷ୍ଠୀ)ରୁ ପ୍ରାର୍ଥୀ ହେଇଛନ୍ତି ଅଜିତ୍ ପାୱାରଙ୍କ ପତ୍ନୀ ସୁନୀତା ପାୱାର ଏବଂ ଏନସିପି (ଶରଦ ପାୱାର ଗୋଷ୍ଠୀ)ରୁ ପ୍ରାର୍ଥୀ ହେଇଛନ୍ତି ଶରଦଙ୍କ ଝିଅ ସୁପ୍ରିୟା ସୁଲେ । ତେବେ ଏବେ ଏହି ଲଢେଇରେ ଏଣ୍ଟ୍ରି ମାରିଛନ୍ତି ଶରଦ ପାୱାର ।

ତେବେ ଏ ଶରଦ ପାୱାର ହେଉଛନ୍ତି ଜଣେ ୩୬ ବର୍ଷୀୟ ଯୁବକ । ଯିଏକି ବୃତ୍ତିରେ ଜଣେ ଟ୍ୟାକ୍ସି ଡ୍ରାଇଭର । ସେ ବାରମତୀ ସିଟରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ତେବେ ତାଙ୍କ ନାମକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି ।

ଉକ୍ତ ଯୁବକଙ୍କ କହିବା କଥା, ତାଙ୍କ ନାମ ମଧ୍ୟ ଶରଦ ପାୱାର । ୧୯୮୮ ମସିହାରେ ତାଙ୍କ ଜେଜେ ବାପା ତାଙ୍କର ଏହି ନାମ ରଖିଥିଲେ । ଶରଦ କହିଛନ୍ତି, ତାଙ୍କ କଥା କେହି ବି ଶୁଣୁନାହାଁନ୍ତି । ତେଣୁ ତାଙ୍କର ଆଶା ଅଛି ସାହେବ ତାଙ୍କର ସାହାଯ୍ୟ କରିବେ । ଅନ୍ୟପଟେ ଶରଦ ପାୱାର ନିର୍ବାଚନ ଲଢିବା ପଛର କାରଣ ମଧ୍ୟ କହିଛନ୍ତି । ସେ କହିଛନ୍ତି ଶ୍ରମିକମାନଙ୍କୁ ତାଙ୍କ ଅବସ୍ଥାରେ ହିଁ ଛାଡି ଦିଆଯାଉଛି । ତାଙ୍କ ଉନ୍ନତି ପାଇଁ କିଛି ବି କରାଯାଉନି । ଏହି କାରଣରୁ ସେ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚର ପ୍ରଥମ ପର୍ଯ୍ୟାୟ ଭୋଟ୍ ଆସନ୍ତାକାଲି ପଡିବାକୁ ଯାଉଛି । ତେବେ ବାରାମତୀ ସିଟରେ କିନ୍ତୁ ମେ ୭ରେ ଭୋଟ୍ ପଡିବ । ଏଥର ଏହି ସିଟରୁ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ଅଜିତ ପାୱାରଙ୍କ ପତ୍ନୀଙ୍କ ଭିତରେ କଡା ଟକ୍କର ଦେଖିବାକୁ ମିଳିପାରେ ।