ପ୍ରଥମ ଥର ପାଇଁ ଗାଁରେ ପଡିଲା ଜିଲ୍ଲାପାଳଙ୍କ ପାଦ । ଖୁସିରେ ଝୁମି ଉଠିଲେ ଲୋକେ । ଗାଁର ସର୍ବୋଚ୍ଚ ସମ୍ମାନ ଦେଇ ପାଲିଙ୍କିରେ ବୋହିନେଲେ

341

କନକ ବ୍ୟୁରୋ: ମିଜୋରମ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଯେଉଁଥିରେ ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନେ ପାଲିଙ୍କିରେ ବସାଇ ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ମିଜୋରମର ତିସୋପି ଗାଁର । ଘଟଣାଟି କିଛି ଏପରି ଥିଲା । ଅଗଷ୍ଟ ୧୭ତାରିଖରେ ଜିଲ୍ଲାପାଳ ଭୂପେଶ ଚୌଧୁରୀ ତିସୋପି ଗାଁରେ ପହଂଚିଥିଲେ । ପ୍ରଥମ ଜିଲ୍ଲାପାଳ ଭାବେ ସେ ତିସୋପି ଗାଁରେ ପହଂଚିଥିବାରୁ ଲୋକେ ଖୁବ୍ ଉତ୍ସାହ ହୋଇପଡିଥିଲେ ଏବଂ ଜିଲ୍ଲାପାଳ ଭୂପେଶ ଚୌଧୁରୀଙ୍କୁ ପାଲିଙ୍କିରେ ବୋହି ଗାଁକୁ ନେଇଥିଲେ ।

ତିସୋପି ଗାଁ ମିଜୋରମର ସିୟାହା ଜିଲ୍ଲାରେ ଅବସ୍ଥିତ । ଗାଁକୁ ଯିବାପାଇଁ ଏବେ ବି ପକ୍କା ସଡକ ନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ଗାଁକୁ ଯିବାକୁ ୧୫କିଲୋମିଟର ରାସ୍ତା ନିର୍ମାଣ ପାଇଁ ଆଦେଶ ହୋଇଛି । ଏହି ରାସ୍ତାକାମର ସମୀକ୍ଷା ପାଇଁ ତିସୋପି ଗାଁରେ ପହଂଚିଥିଲେ ଜିଲ୍ଲାପାଳ । ତେବେ ଜିଲ୍ଲାପାଳ ଗାଁରେ ପହଂଚିବା ମାତ୍ରେ ତାଙ୍କୁ ଗାଁଲୋକେ ପାଲିଙ୍କିରେ ବସାଇ କାନ୍ଧରେ ବୋହିନେଇଥିଲେ । କିଛି ଦିନ ପୂର୍ବରୁ ହିଁ ଭୂପେଶ ଚୌଧୁରୀଙ୍କ ଏଠାରେ ପୋଷ୍ଟିଂ ହୋଇଛି । ତିସୋପି ଗାଁ ରାସ୍ତା ନଥିବା ଜାଣିବା ପରେ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଗାଁକୁ ରାସ୍ତା ନିର୍ମାଣ କରିବା ଆଦେଶ ପରେ ଏହାର ସମୀକ୍ଷା ପାଇଁ ପହଂଚିଥିଲେ ଜିଲ୍ଲାପାଳ ।