ସିବିଆଇ ପଞ୍ଝାରୁ ମୁକୁଳି ପାରୁନାହାନ୍ତି ଚିଦାମ୍ବରମ । ପୁଣି ବଢିଲା ରିମାଣ୍ଡ ଅବଧି, ସେପ୍ଟେମ୍ବର ୨ ତାରିଖ ଯାଏଁ ସିବିଆଇ ହେପାଜତରେ ରହିବେ ପୂର୍ବତନ ଅର୍ଥମନ୍ତ୍ରୀ ।

246

କନକ ବ୍ୟୁରୋ : ପୁଣି ରିମାଣ୍ଡରେ ଗଲେ ପି. ଚିଦାମ୍ବରମ । ଆସନ୍ତା ସେପ୍ଟେମ୍ବର ୨ ତାରିଖ ଯାଏଁ ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି । ଚିଦାମ୍ବରମଙ୍କୁ ରିମାଣ୍ଡରେ ନେବାକୁ ସିବିଆଇକୁ ରାଉଜ ଏଭିନ୍ୟୁ କୋର୍ଟ ଅନୁମତି ଦେଇଛନ୍ତି । ଏହାପୂର୍ବରୁ ୨ ଦଫାରେ ଚିଦାମ୍ବରମଙ୍କୁ ୯ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି ସିବିଆଇ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଗିରଫ କରିଥିଲା ସିବିଆଇ ।

ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ବଢାଇବାକୁ କୋର୍ଟରେ ଅପିଲ କରିଥିଲେ ସିବିଆଇ । ଏପରିକି ଆହୁରି ୫ ଦିନ ରିମାଣ୍ଡ ଅବଧି ବଢାଇବାକୁ କୋର୍ଟକୁ କହିଥିଲେ ସିବିଆଇ । ତେବେ ସିବିଆଇର ଏଭଳି ଦାବି ଶୁଣି ଚିଡି ଯାଇଥିଲେ ବିଚାରପତି । ପ୍ରଥମରୁ କାହିିଁକି ଏକାଥରକେ ୧୫ ଦିନ ରିମାଣ୍ଡ ପାଇଁ ଆବେଦନ କରୁନଥିଲ ବୋଲି ସିବିଆଇକୁ ପ୍ରଶ୍ନ କରିଥିଲେ ବିଚାରପତି । ଏପରିକି ପ୍ରତିଦିନ ସିବିଆଇ ଚିଦାମ୍ବରମଙ୍କୁ କେତେ ଘଣ୍ଟା ପଚରାଉଚରା କରୁଛି ବୋଲି ଜାଣିବାକୁ ଚାହିଁଥିଲେ । ଏହାର ଉତ୍ତରରେ ସିବିଆଇ ଚିଦାମ୍ବରମଙ୍କୁ ପ୍ରତିଦିନ ୮ରୁ ୧୦ ଘଣ୍ଟା ପଚରାଉଚରା କରାଯାଉଥିବା କହିଛି  ।