ପାଖେଇ ଆସୁଛି ନିର୍ବାଚନ, ଜମୁଛି ପ୍ରଚାର । ରାଲି, ଶୋଭାଯାତ୍ରା କରି ଭୋଟରଙ୍କ ମନ ଜିତିବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ ।

75

କନକ ବ୍ୟୁରୋ: ଏବେ ଚାରିଆଡେ ଚୋରଦାର ପ୍ରଚାର । ବୀର ଭୈରବଙ୍କ ଆଶୀର୍ବାଦ ନେଇ ମୁନିଗୁଡା ବ୍ଲକରେ ପ୍ରଚାରର ଶୁଭାରମ୍ଭ କରିଛି କଂଗ୍ରେସ । ପ୍ରବଳ ଗରମ ସତ୍ତେ୍ୱ ନିର୍ବାଚନ ରାଲିରେ ଯୋଗ ଦେଇଛନ୍ତି ଶହ ଶହ କଂଗ୍ରେସ କର୍ମୀ । ମୁନିଗୁଡା ଉପକଣ୍ଠ ଗୋବର୍ଦ୍ଧନ ଗ୍ରାମରେ ଠାକୁରାଣୀ ଓ ଭୈରବଗଡ ଗ୍ରାମରେ ଥିବା ବୀରଭୈରବୀଙ୍କ ପୀଠରେ ପହଞ୍ଚି ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ଓ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକକା । ସେହିଭଳି ଦହିଖାଲଠାରେ ଏକ ରୋଡ଼ଶୋ କରି ଭୋଟ ମାଗିଛନ୍ତି । ଗତ ୫ ବର୍ଷର ଉନ୍ନତିମୂଳକକାର୍ଯ୍ୟ ଓ କଂଗ୍ରେସର ୯ଟି ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି ଉଭୟ କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀ ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଜମୁଛି ପ୍ରଚାର । କଂଗ୍ରେସ ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝି ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ଭୋଟରଙ୍କୁ ମୁଣ୍ଡିଆ ମାରି ଭୋଟ ମାଗୁଛନ୍ତି । ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅଧିନ ଜୟପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ ସମର୍ଥକଙ୍କ ସହ ବୁଲି ପ୍ରଚାର କରିବା ସହ ଲୋକଙ୍କୁ ଭେଟୁଛନ୍ତି । ଅଂଚଳର ବିକାଶ ପ୍ରତିଶ୍ରୁତି ଓ କଂଗ୍ରେସର ଗ୍ୟାରେଂଟି କାର୍ଡ କଥା କହି ଭୋଟରଙ୍କୁ ମୁଣ୍ଡିଆ ମାରି ଭୋଟ ମାଗୁଛନ୍ତି ।

ଭଦ୍ରକ ଲୋକସଭା କ୍ଷେତ୍ରର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବି ଏବେ ଚଳଚଞ୍ଚଳ ହୋଇପଡିିଛି । ନେତାଙ୍କ ଧୂଆଁଧାର ପ୍ରଚାର, ରାଲି, ଶୋଭାଯାତ୍ରା ଭିତରେ ନିର୍ବାଚନ ମାହୋଲ ସରଗରମ ହେବାରେ ଲାଗିଛି । ଚାନ୍ଦବାଲି ନିର୍ବାଚଳ ମଣ୍ଡଳୀ ୨୦୦୦ ମସିହା ଠାରୁ କଂଗ୍ରେସ ହାତରୁ ଖସିଯାଇଛି । ଦୀର୍ଘ ୨୪ ବର୍ଷ ପରେ ଏବଂ ପୁଣି କଂଗ୍ରେସ ନିଜ ସ୍ଥିତି ସଜାଡ଼ିବାରେ ଲାଗି ପଡ଼ିଛି । ସମସ୍ତ ନେତା ଓ କର୍ମୀଙ୍କୁ ଏକାଠି କରି ଠାକୁରାଣୀଙ୍କ ପୂଜାର୍ଚ୍ଚନା ଆଶୀର୍ବାଦ ନେଇ ପ୍ରଚାର କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର । ନେତା କର୍ମୀ ଏକ ହୋଇ ଅମୀୟ ମହାପାତ୍ରଙ୍କୁ ସମର୍ଥନ ଦେଇଛନ୍ତି ।

ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜୋରଦାର ପ୍ରଚାର । ବିରିଡି ବ୍ଲକ ପୁରଣ ସ୍ଥିତ ମା’ ମରିଚେଇ ଠାକୁରାଣୀଙ୍କ ପୀଠରେ ବିଜେଡିର ଆଶୀର୍ବାଦ ଭିକ୍ଷା ସମାବେଶ ଅନୁଷ୍ଠିତ ହୋଇଛି ।ଏଥିରେ ବିଜେଡି ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଯୋଗ ଦେଇ ଭୋଟ ମାଗିଛନ୍ତି । ଏହି କାର୍ଯ୍ୟକ୍ରମରେ ୩ଟି ପଞ୍ଚାୟତର ସରପଞ୍ଚ ଓ ୱାର୍ଡମେମ୍ବରମାନେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଏହିସବୁ କାର୍ଯ୍ୟକ୍ରମରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ବିଧାୟକ ଓ ସାଂସଦ ପ୍ରାର୍ଥୀ କହିଛନ୍ତି । ତିର୍ତୋଲ, ରଘୁନାଥପୁର ଓ ବିରିଡି ବ୍ଲକର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ, ସଂକଳ୍ପ ସମାବେଶ, ଆଶୀର୍ବାଦ ଭିକ୍ଷା ସମ୍ମିଳନୀ ଓ ମିଶ୍ରଣ ପର୍ବ ଜରିଆରେ ବିଜେଡି ପ୍ରଚାର କରୁଛି ।

ଭୁବନେଶ୍ୱରରେ ବିଜେପି ଜୋରଦାର ପ୍ରଚାର । ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବିଶାଳ ଜନସଂପର୍କ ପଦଯାତ୍ରା କରିଛନ୍ତି । ସୁନ୍ଦରପଦା ଦୁର୍ଗା ମଣ୍ଡପ ପାଖରୁ ଜନସପଂର୍କ ପଦ ଯାତ୍ରା ଆରମ୍ଭ ହୋଇ ୬୭ ନମ୍ବର ୱାର୍ଡରେ ପହଞ୍ଚିଥିଲା । ଏଥିରେ ଶହ ଶହ ବିଜେପି କର୍ମୀ ସାମିଲ ହୋଇଥିଲେ । ଏଥର ଏକାମ୍ର ନିର୍ବାଚନ କ୍ଷେତ୍ରରୁ ବିଜେପି ନିଶ୍ଚୟ ବିଜୟୀ ହେବ ବୋଲି ବାବୁ ସିଂ ଦୃଢୋକ୍ତି ପ୍ରକାଶ କରିଛନ୍ତି ।