ମାଲକାନଗିରିରେ ବାଟବଣା ବିଜୁ କୃଷକ ବିକାଶ ଯୋଜନା ! ଟଙ୍କା ପୈଠ ପରେ ବି ଚାଷୀଙ୍କୁ ମିଳୁନି ବୋରୱେଲ

85

କନକ ବ୍ୟୁରୋ : ମାଲକାନଗିରିର ଫେଲ ମାରିଛି ବିଜୁ କୃଷକ ବିକାଶ ଯୋଜନା । ଉଠା ଜଳ ସେଚନ ପ୍ରକଳ୍ପ ଜରିଆରେ ଚାଷୀଙ୍କୁ ମିଳିପାରୁନି ପାଣି । ଯୋଜନା ମୁତାବକ ଟଙ୍କା ପୈଠ କରିବା ପରେ ମଧ୍ୟ ବୋରୱେଲ ପାଇ ହଜାର ହଜାର ଚାଷୀ । ଉଠା ଜଳ ସେଚନ ବିଭାଗ ଦିନ ପରେ ଦିନ ଗଡାଇ ଚାଲି ଥିବା ଅଭିଯୋଗ ହୋଇଛି । ଟାଙ୍ଗରା ପଡିଛି ଭୁଇଁ । ଫେଲ ମାରିଛି ବିଜୁ କୃଷକ ବିକାଶ ଯୋଜନା । ଏଭଳି ଅସୁବିଧା ଭୋଗୁଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ବହୁଳ ପାଲକୋଣ୍ଡା ଗାଁର ଲୋକେ । ଅଣ ଜଳସେଚିତ ଶୁଖିଲା ଜମିରେ ପାଣି ମଡେଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି ପୋଲକୋଣ୍ଡା ଗାଁର ଆଦିବାସୀ ଚାଷୀ ଗଙ୍ଗା ମାଢି ।

ରବି ରୁତୁରେ ଅଣ ଜଳସେଚିତ ଜମିକୁ ଜଳ ଯୋଗାଇବା ପାଇଁ ବିଜୁ କୃଷକ ବିକାଶ ଯୋଜନା ଅନ୍ତର୍ଗତ ଡିପ ବୋରୱେଲ ସେଚ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଭିନ୍ନ ଭିନ୍ନ ଗ୍ରୁପ ତିଆରି କରି ୧୦ହଜାର ଟଙ୍କା ଲେଖାଏଁ ପୈଠ କରିଛନ୍ତି ପାଲକୋଣ୍ଡା ଗାଁର ୧୬ଜଣ ଚାଷୀ । ତେବେ ଟଙ୍କା ପୈଠ ପରେ ବର୍ଷ ବର୍ଷ ବିତିଛି, ହେଲେ ଚାଷୀଙ୍କୁ ବୋରୱେଲ ମିଳିନାହିଁ । ପ୍ରତିଦିନ ମାଲକାନଗିରି ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ ଦୌଡି ଦୌଡି ଚାଷୀ ନୟାନ୍ତ ହେଉଛନ୍ତି ।

ମାଲକାନଗିରି ଜିଲ୍ଲାରେ ଗତ ୨୦୧୬-୧୭ ଆର୍ଥୀକ ବର୍ଷରେ ବୋର ୱେଲ ପାଇଁ ୧୧୪୮ ଜଣ ହିତାଧିକାରୀ ପଂଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫୬୧ ଜଣ ବି.ପି.ଏଲ ଚାଷୀ ଓ ସାଧାରଣ ବର୍ଗର ଚାଷୀ ୧୦ ହଜାର ଓ ୨୦ ହଜାର ଲେଖାଏଁ ଟଙ୍କା ୟୁନିୟନ ବ୍ୟାଙ୍କ ଜରିଆରେ ପୈଠ କରିଛନ୍ତି । ଆଶ୍ଚର୍ଯ୍ୟର କଥା ଗତ ୨୦୧୬-୧୭ ବର୍ଷ ଠାରୁ ନଳକୁପ ଖନନ ଓ ବିଦ୍ୟୁତ ସଂଯୋଗୀକରଣ ଲାଗି ଟେଣ୍ଡର ଫାଇନାଲ ହୋଇ ପାରୁନି । ରାଜଧାନୀ ସ୍ଥିତ ଏମ.ଡି ଓ ଏଲ.ଆଇସିଙ୍କ କାର୍ଯ୍ୟାଳୟରେ ମନ ମୁତାବକ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଉନଥିବାରୁ ଡେରି ହେଉଥିବା ଅଭିଯୋଗ ଆସିଛି । ମହାନଦୀ ପାଣିର ସଦବିନିଯୋଗକୁ ନେଇ ଉଭୟ ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ସହ ଓଡିଶାର ତୁ ତୁ ମେଁ ମେଁ ଲାଗି ରହି ଥିବା ବେଳେ ନିଜ ଭୁତଳ ଜଳର ଉପଯୋଗ ଦିଗରେ ମଧ୍ୟ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।