ଖରା ଆରମ୍ଭ ନ ହେଉଣୁ ଜଳ କଷ୍ଟ ! ଶୋଷ ମେଂଟାଇବା ପାଇଁ ଚୁଆ ପାଣି ଭରସା

37

କନକ ବ୍ୟୁରୋ : ଖରା ଆରମ୍ଭ ନ ହେଉଣୁ ଜଳ କଷ୍ଟ ବଢିଛି । ଶୋଷ ମେଂଟାଇବାକୁ ଲୋକେ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଦୁଇ କିଲୋମିଟର ଦୂରରୁ ନାଳ ଚୁଆରୁ ପାଣି ସଂଗ୍ରହ କରି ଲୋକେ ଆଣୁଛନ୍ତି । ଏପରି ଉତ୍କଟ ପାନୀୟ ଜଳ ସମସ୍ୟାକୁ ସାମ୍ନା କରୁଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଗୋଡିଖୁଳା ଗାଁର ବାସିନ୍ଦା ।

ନାଳ ଭିତରର ବାଲି ଚୁଆ । ତାକୁ ଘେରି ରହିଛନ୍ତି ଏକାଧିକ ମହିଳା । ସମସ୍ତେ ଗରା ମାଠିଆରେ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଗୋଡିଖୁଳା ଗାଁ ଲୋକେ ଶୋଷ ମେଂଟାଇବାକୁ ଚୁଆ, ପୋଖରୀ ଉପରେ ନିର୍ଭର କରୁଛନ୍ତି । ଖରା ଆରମ୍ଭ ନ ହେଉଣୁ ପାଣି ଟୋପେ ପାଇଁ ଲୋକେ ଡହଳ ବିକଳ, ଆଗକୁ ସ୍ଥିତି ଯେ ଆହୁରି ଉତ୍କଟ ହେବ ଏଥିରେ ସନ୍ଦେହ ନାହିଁ ।

ଦେବଗିରି ପାହାଡ ପାଦଦେଶରେ ଥିବା ଗୋଡୁଖୁଳା ଗାଁରେ ରହିଛି ମାତ୍ର ଗୋଟିଏ ନଳକୂଅ । ଯେଉଁଥିରୁ ବାହାରୁଛି ଲୁହାଗୁଣ୍ଡ ମିଶା ପାଣି । ତେଣୁ ଗ୍ରାମବାସୀ ଗାଁ ନିକଟ ପୋଖରୀ ଓ ଚୂଆରୁ ପାଣି ଆଣି ବ୍ୟବହାର କରୁଛନ୍ତି । ବଡି ଭୋରରୁ ଗାଁର ମହିଳାମାନେ ଚୁଆ, ପୋଖରୀକୁ ଯାଇ ପାଣି ନେଇ ଆସନ୍ତି । ଆଉ ଚୁଆ ପୋଖରୀ ପାଣି ପିଇ ଗ୍ରାମବାସୀ ବିଭିନ୍ନ ରୋଗରେ ପଡୁଥିବା କହିଛନ୍ତି ଗ୍ରାମବାସୀ ।

ଶ୍ୟାମାସୁନ୍ଦର ପଂଚାୟତର ଗୋଡିଖୁଳା ଗାଁରେ ପାନୀୟ ଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ଏନେଇ ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି ରାଜନେତାଙ୍କୁ କହିଲେ ମଧ୍ୟ କିଛି ଫଳ ମିଳିନାହିଁ । ନିର୍ବାଚନ ସମୟରେ ପାଣି ସମସ୍ୟାର ସମଧାନ ପାଇଁ ନେତା ପ୍ରତିଶ୍ରୁତି ଦିଅନ୍ତି, ହେଲେ ଭୋଟ ସରିଲେ ସମସ୍ତେ ଭୁଲି ଯାଆନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।