ଏଲଆଇସିର ବଡ ଘୋଷଣା, ଆଦାନୀ ଗ୍ରୁପରୁ ପ୍ରତ୍ୟାହାର କରିବନାହିଁ ନିବେଶ

7,749

କନକ ବ୍ୟୁରୋ : ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପରେ ଭାରତୀୟ ଜୀବନ ବୀମା ନିଗମ ନିବେଶ କରିଥିବା ଅର୍ଥକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ଏଲଆଇସି ତରଫରୁ ପ୍ରଥମଥର ପାଇଁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଲଆଇସି ତରଫରୁ ଘୋଷଣା କରାଯାଇଛି କି, ଆଦାନୀ ଗ୍ରୁପରେ ନିବେଶ ହୋଇଥିବା ଏଲଆଇସିର ଅର୍ଥ ପ୍ରତ୍ୟାହାର କରାଯିବ ନାହିଁ । ଏଲଆଇସିର ଚେୟାରମ୍ୟାନ ଏମ.ଆର କୁମାର ଏଭଳି ଘୋଷଣା କରିଛନ୍ତି ।

ଏମ.ଆର କୁମାର କହିଛନ୍ତି କି, ଆମେ ଆଦାନୀ ଗ୍ରୁପ ମ୍ୟାନେଜମେଣ୍ଟକୁ କେବେ କେବେ ବିଜେନେସ୍ ପ୍ରୋଫାଇଲ ବାବଦରେ ସୂଚନା ପାଇଁ ଡାକିବୁ । ଏହାସହ ଆଦାନୀ ଗ୍ରୁପ କେଉଁ କେଉଁ ଯୋଜନା ଉପରେ କାମ କରୁଛି ଓ ଏହାକୁ କିଭଳି ପ୍ରବନ୍ଧିତ କରାଯାଇ ପାରିବ ତାହା ଉପରେ ଆଲୋଚନା କରିବୁ ।

ହିଣ୍ଡେନବର୍ଗର ରିପୋର୍ଟ ପରେ ସଂକଟରେ ଥିବା ଆଦାନୀ ଗ୍ରୁପ ପାଇଁ ଏହା ଏକ ଭଲ ଖବର । ଏହା ପୂର୍ବରୁ କୁହାଯାଇଥିଲା କି ନିବେଶକକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି ତାହା ଉପରେ ବୀମା କମ୍ପାନୀର ଅଧିକାରୀ ଆଦାନୀ ଗ୍ରୁପର ଶୀର୍ଷ ମ୍ୟାନେଜମେଣ୍ଟ ସହ ବୈଠକ କରି ଗ୍ରୁପର ବିଭିନ୍ନ କାରବାର ସହିତ ଜଡିତ ସମସ୍ୟା ଉପରେ ଆଲୋଚନା କରିବେ ।

ସୂଚନା ଥାଉକି ଭାରତୀୟ ଜୀବନ ବୀମା ନିଗମର ମୋଟ ଲାଭ ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ତୈମାସିକ ମଧ୍ୟରେ ୮,୩୩୪.୨ କୋଟିରେ ପହଂଚିଛି । ଏହି ପରିସଂଖ୍ୟାନ ଗତବର୍ଷ ସମାନ ଅବଧି ମଧ୍ୟରେ ୨୩୫ କୋଟି ଟଙ୍କା ଥିଲା । ଏହା ପୂର୍ବ ତୈମାସିକରେ ବୀମା କମ୍ପାନୀ ୧୫,୯୫୨ କୋଟି ଟଙ୍କା ଲାଭ ଦର୍ଶାଇଥିଲା ।