୨୦ ହଜାର କୋଟି ଟଙ୍କାର ଏଫପିଓ ବାତିଲ କଲା ଆଦାନୀ ଗ୍ରୁପ : ହିଣ୍ଡେନବର୍ଗ ରିପୋର୍ଟ ପରେ ବ୍ୟାକଫୁଟରେ ରହିଛି କମ୍ପାନୀ

197

କନକ ବ୍ୟୁରୋ : ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ ପକ୍ଷରୁ ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ ଅଫର ବା ଏଫପିଓ ବାତିଲ ହୋଇଛି । ବିକ୍ରି ପାଇଁ ରଖାଯାଇଥିବା ସେୟାରକୁ କିଣିବା ପାଇଁ ଅଧିକ ଲୋକ ଆବେଦନ କରି ସାରିଛନ୍ତି । କିନ୍ତୁ କମ୍ପାନୀ ଏହି ଏଫପିଓକୁ ବାତିଲ କରିଦେଇଛି । କମ୍ପାନିର ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏବେର ଅଭୂତପୂର୍ବ ସ୍ଥିତି ଏବଂ ବଜାରରେ ରହିଥିବା ଅସ୍ଥିରତା କାରଣରୁ ଆଦାନୀ ଗ୍ପୁର ଏପରି ନିଷ୍ପତ୍ତି ନେଇଥିବା କହିଛିି ।

ନିବେଶକମାନଙ୍କୁ ଅର୍ଥ ଫେରସ୍ତ କରିବ ବୋଲି କମ୍ପାନୀ କହିଛି । କମ୍ପାନୀର ବାଲାନ୍ସ ସିଟ୍ କିନ୍ତୁ ମଜବୁତ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପର ତାଲିକାଭୁକ୍ତ କମ୍ପାନୀଗୁଡିକର ସେୟାରର ମୂଲ୍ୟ ଲଗାତାର ହ୍ରାସ ଘଟିଛି । ବୁଧବାର ଦିନ ଆଦାନୀ ଏଣ୍ଟରପ୍ରାଇଜେସର ଷ୍ଟକ୍ ଗୋଟିଏ ଦିନରେ ୨୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଆଦାନୀ ଏଣ୍ଟରପ୍ରାଇଜେସର ୨୦ ହଜାର କୋଟି ଟଙ୍କାର ଏଫପିଓ ଦେଶର ସବୁଠାରୁ ବଡ ଏଫପିଓ ମଧ୍ୟରୁ ଅନ୍ୟତମ ।

୨୪ ଜାନୁଆରୀରେ ଆଦାନୀ ଗ୍ରୁପ ନାଁରେ ଆମେରିକାର ହିଣ୍ଡେନବର୍ଗ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି ଆଦାନୀ ଗ୍ରୁପ୍ ଏହାର ଅଂଶଧନ ମୂଲ୍ୟ ବୃଦ୍ଧି ପଛରେ ଆକାଉଂଟିଙ୍ଗ ଠକେଇ କରିଛି । ଆଦାନୀ ଗ୍ରୁପ ୪୦୦ରୁ ଅଧିକ ପୃଷ୍ଠାର ଏକ ଜବାବ ଦେଇଛି ଏ ସଂକ୍ରାନ୍ତରେ । ହିଣ୍ଡେନବର୍ଗର ରିପୋର୍ଟ ଅସତ୍ୟ ଏବଂ ଏଫପିଓକୁ ବଦନାମ କରିବାକୁ ଏକ ଷଡଯନ୍ତ୍ର ବୋଲି ଆଦାନୀ ପକ୍ଷରୁ କୁହାଯାଇଛି ।