ଗିରଫ ପୂର୍ବରୁ ହାଫିଜକୁ ଗିରଫଦାରିର ଡର ! ଯେକୌଣସି ମୁହୂର୍ତ୍ତରେ ହୋଇପାରେ କାର୍ଯ୍ୟାନୁଷ୍ଠାନର

35

କନକ ବ୍ୟୁରୋ : ପାକିସ୍ତାନ ଉପରେ ଭାରତ ଓ ଆମେରିକାର ନିୟମିତ ଚାପ ଯୋଗୁଁ ଚିନ୍ତାରେ ଏବେ ହାଫିଜ୍ ସଇଦ । ୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ତା’ବିରୁଦ୍ଧରେ ଯେ କୌଣସି ମୁହୂର୍ତ୍ତରେ କାର୍ଯ୍ୟାନୁଷ୍ଠାନ ହେବାର ଆଶଙ୍କା ଜାହିର କରିଛି । ମିଳତ ଜାତିସଂଘର ସ୍ୱତନ୍ତ୍ର ଦଳ ପାକିସ୍ତାନରେ ସ୍ଥିତି ସମୀକ୍ଷା କରିବାର ଥିବାରୁ ସମ୍ଭାବ୍ୟ ଗିରଫ ଦାରୀ ଏଡ଼ାଇବାକୁ ଲାହୋର୍ ହାଇକୋର୍ଟରେ ସେ ଅପିଲ୍ କରିଥିଲା । ଏହି ମାମଲାରେ ଆଗାମୀ ଆଦେଶ ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ ।

ପାକିସ୍ତାନରେ ଶରଣ ନେଇଥିବା ଆତଙ୍କବାଦୀ ହାଫିଜ୍ ସଇଦକୁ ଘାରିଲା ଗିରଫ ହେବାର ଡର । ବେଆଇନ୍ ସଙ୍ଗଠନଗୁଡ଼ିକର ସ୍ଥିତି ସମୀକ୍ଷା ପାଇଁ ଜାତିସଂଘର ତଦନ୍ତକାରୀ ଦଳ ପାକିସ୍ତାନ ଯିିବାର ଥିବା ବେଳେ ଗିରଫଦାରୀର ଆଶଙ୍କା ଜାହିର କଲା ଏହି କୁଖ୍ୟାତ ଆତଙ୍କବାଦୀ । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ହାଫିଜ୍ ଲାହୋର ହାଇକୋର୍ଟରେ ଯାଚିକା ଦାଖଲ୍ କରିବା ପରେ କୋର୍ଟରୁ ମିଳିଛି ଆଶ୍ୱସ୍ଥି । ଏ ମାମଲାରେ ଆଗାମୀ ଆଦେଶ ଯାଏଁ କାର୍ଯ୍ୟାନୁଷ୍ଠାନ ନେବାକୁ ମନାକରିଛନ୍ତି କୋର୍ଟ ।

ଦୁଇ ଦିନିଆ ଗସ୍ତରେ ଯାଇ ଜାତିସଂଘର ସ୍ୱତନ୍ତ୍ରଦଳ ପ୍ରତିବନ୍ଧିତ ସଙ୍ଗଠନ ବିରୁଦ୍ଧରେ ପାକିସ୍ତାନ ଅନ୍ତର୍ଜାତୀୟ ନିୟମ ଅନୁସରଣ କରୁଛି କି ନାହିଁ ତାର ଯାଂଚ କରିବେ । ଏହି ସମୟ ମଧ୍ୟରେ ହାଫିଜ୍ ପରିଚାଳିତ ଜମାତ୍ ଉଦ୍ ଦାୱା ବି ଯାଂଚ ପରିସରକୁ ଆସିବ । ତେବେ ସାମୟିକ ଭାବେ ଗିରଫଦାରୀ ଏଡ଼ାଇବାରେ ସଫଳ ହୋଇଛି ହାଫିଜ୍ ।

ପୂର୍ବରୁ ହାଫିଜର ସଙ୍ଗଠନ ଜମାତ୍ – ଉଦ୍ – ଦାୱାକୁ ଯାଂଚ୍ ତାଲିକାରେ ରଖିଥିଲା ପାକିସ୍ତାନ । ତେବେ ପ୍ରତିବନ୍ଧିତ ହେବାଭୟରେ ସଙ୍ଗଠନର ନାଁବଦଳାଇ ତେହେରିକେ ଆଜାଦି ରଖିଥିଲା ହାଫିଜ୍ । ସେହିପରି ରାଜନୈତିକ ମହତ୍ୱାକାଂକ୍ଷା ରଖି ଲାହୋରରେ ଦଳୀୟ କାର୍ଯ୍ୟାଳୟ ବି ଖୋଲିଥିଲା ଏହି କୁଖ୍ୟାତ ଆତଙ୍କୀ । ମିଲି ମୁସଲିଗ୍ ଲିଗ୍ ତରଫରୁ ହାଫିଜ୍ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଥିବା ବେଳେ ଆମେରିକା ଏ ନେଇ ଚିନ୍ତାପ୍ରକଟ କରିଥିଲା । ୨୦୦୮ରେ ଆମେରିକା ହାଫିଜ୍ ସଇଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ସହ ତା ମୁଣ୍ଡ ଉପରେ ୧୦ ମିଲିୟନ୍ ଡଲାର ପୁରସ୍କାର ଘୋଷଣା କରିସାରିଛି । ଏହା ବ୍ୟତୀତ ପାକିସ୍ତାନ ଉପରେ ବାରମ୍ବାର ଚାପ ପ୍ରୟୋଗ ବି କରିଛି ଆମେରିକା । ସମ୍ଭାବ୍ୟ ଗିରଫଦାରୀକୁ ନେଇ ଏବେ ଚିନ୍ତାରେ ହାଫିଜ୍ ।