କୋରାପୁଟ ସୁଙ୍କି ଘାଟିରେ ଧିରେ ଧିରେ ସ୍ୱାଭାବିକ ହେଉଛି ଗାଡି ଚଳାଚଳ । ପାହାଡ ଉପରୁ ପାଣି ବହିବା କମିବା ପରେ ରାସ୍ତାରୁ ପଥର ସଫା କରି ଚାଲିଲା ଗାଡି : ସ୍ଥିତି ସୁଧାରିବାକୁ ଉଦ୍ୟମ ଜାରି

404

କନକ ବ୍ୟୁରୋ : ଏ ସ୍ଥିତି ଜମ୍ମୁ କାଶ୍ମୀର କି ହିମାଂଚଳ ପ୍ରଦେଶର ନୁହେଁ, ଏ ହେଉଛି ଆନ୍ଧ୍ରପ୍ରଦେଶର ସାଲୁର ଘାଟି ଓ କୋରାପୁଟ ସୁଙ୍କି ଘାଟି ମଧ୍ୟଭାଗ ରାସ୍ତା । ପ୍ରବଳ ବର୍ଷା ଯୋଗୁଁ ପାହାଡ ଉପରୁ ପାଣି ମିଶା ମାଟି ଅତଡା ଧସିବାରୁ ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ପୁରା ଠପ ହୋଇଯାଇଛି । ଘାଟି ରାସ୍ତା ପୁରା ମାଟିରେ ଭର୍ତି ହୋଇଯାଇଥିଲା । ଫଳରେ ରାସ୍ତାର ଉଭୟ ପାଖରେ ଶହଶହ ଗାଡି ମଟର ଅଟକି ରହିଛି । ଯଦିଓ ଯାତ୍ରୀମାନେ ନିଜେ ରାସ୍ତାରୁ ପଥର ହଟେଇ ଯାତାୟତ ଆରମ୍ଭ କରିଛନ୍ତି କିନ୍ତୁ ଗତକାଲି ରାତିରୁ ଘାଟିରେ ଯାତାୟତ ଠପ ହୋଇଯାଇଥିଲା ।

ପାହାଡରୁ ଧସିଲା ମାଟି ଅତଡା
ଘାଟିରେ ଫସିଲା ଶହଶହ ଗାଡି

ସୁଙ୍କି ଓ ସାଲୁର ଘାଟି ଓଡିଶା-ଆନ୍ଧ୍ର ସୀମାରେ ରହିଛି । ୨୨ କିଲୋମିଟର ଘାଟି ରାସ୍ତାଟି ଦୁଇ ଲେନ୍ ବିଶିଷ୍ଟ । ଏହି ଘାଟି ଦେଇ କୋରାପୁଟ ଜିଲ୍ଲା ସମେତ ମାଲକାନଗିରି , ଛତିଶଗଡ ଓ ଆନ୍ଧ୍ରପ୍ରଦେଶକୁ ଗାଡି ଚଳାଚଳ କରିଥାଏ । ହେଲେ ଗତକାଲିର ବର୍ଷା, ପାହାଡ ଉପରେ ଘାଟି ରାସ୍ତାରେ, ଯତ୍ରୀବାହି ବସ ସହ ଶହଶହ ଟ୍ରକ ଓ ଅନ୍ୟ ଗାଡିଗୁଡିକୁ ଅଟକ ରଖିଥିଲା । ପାହାଡ ଉପରୁ କାଦୁଅ ମିଶା ପାଣିର ସ୍ରୋତ କମିବା ପରେ ଯାତ୍ରୀମାନେ ରାସ୍ତାରୁ ପଥର ହଟାଇଥିଲେ । ଏହାପରେ କାଦୁଅ ପଚପଚ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଗାଡି ଚଳାଚଳ କରୁଛି ।

ଘାଟିରେ ମାଟି ଅତଡା ଧସିବାରୁ ଆନ୍ଧ୍ର ଓ କଟକ, ଭୁବନେଶ୍ୱର, ବ୍ରହ୍ମପୁରରୁ ଜୟପୁରକୁ ଆସୁଥିବା ଗାଡ଼ି ସବୁ ଅଟକି ରହିଥିଲା । ସମ୍ପୁର୍ଣ୍ଣ ରୁପେ ଘାଟି ରାସ୍ତାରୁ ମାଟି ହଟିବା ପାଇଁ ଆହରୁ ଅଧିକ ସମୟ ଲାଗିବ । ତେବେ ଯଦି ପୁଣି ବର୍ଷା ହୁଏ ତେବେ ସ୍ଥିତି ଅଣାୟତ ହୋଇପଡିବାର ଆଶଙ୍କା ରହିଛି ।