ସୁରୁଖୁରୁରେ ବିଧାନସଭା ଚାଲିବା ନେଇ ସର୍ବଦଳୀୟ ବୈଠକରେ ସହମତି : କୋଭିଡ କଟକଣା ଯୋଗୁଁ ୬ ଘଣ୍ଟା ଚାଲିବ ଗୃହକାର୍ଯ୍ୟ

85

କନକ ବ୍ୟୁରୋ : ବିଧାନସଭା ଅଧିବେଶନ ପାଇଁ ସରିଛି ସର୍ବଦଳୀୟ ବୈଠକ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହୋଇଛି ସର୍ବଦଳୀୟ ବୈଠକ । ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ସହ ମନ୍ତ୍ରୀ, ବିଧାୟକ, ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ଓ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଯୋଗଦେଇଛନ୍ତି । ଗତ ଅଧିବେଶନରେ ବାଚସ୍ପତି ଥିଲେ ସୂର୍ଯ୍ୟନରାୟଣ ପାତ୍ର । ହେଲେ ଏଥର ବାଚସ୍ପତି ବଦଳି ଯାଇଛନ୍ତି ।

ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଗଣତନ୍ତ୍ରରେ ଏହା ଏକ ଚମତ୍କାର ଦୃଶ୍ୟ, ସେପଟେ ଏଥର ବିଧାନସଭା ଅଧିବେଶନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । କାରଣ ବଜେଟ୍ ଅଧିବେଶନ ପୂର୍ବରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳରେ ବ୍ୟାପକ ପରିବର୍ତନ କରିଛନ୍ତି । ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ । ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ । ପୂର୍ବରୁ ଆର୍ଥିକ ବର୍ଷର ପ୍ରଥମ ୩ ମାସ ପାଇଁ କାମ ଚଳା ବଜେଟ୍ ବା ଲେଖାନୁଦାନ ଆଗତ କରିଥିଲେ ଅର୍ଥମନ୍ତ୍ରୀ ।

ଏଥର ବିଧାନସଭାର ଅଧିବେଶନ ୨ଟି ପର୍ଯ୍ୟାୟରେ ଚାଲିବ । ଦିନ ୧୦.୩୦ରୁ ସାଢେ ଗୋଟାଏ ଯାଏଁ ଏବଂ ଅପରାହ୍ନ ୪ଟାରୁ ୭ଟା ଯାଏଁ ଚାଲିବ ଗୃହ । କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ ଅବଗତ କରିଛନ୍ତି । ତେଣୁ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ କାର୍ଯ୍ୟ । ଏଥର ଅଧିବେସନରେ ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଛଡାଯିବା ନେଇ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।