ଗୋଟିଏ ଘାଟରେ ମଣିଷ, ଘୁଷୁରୀ। ସମିଜ ନାଳ ଉପରେ ନିର୍ଭର କରୁଛନ୍ତି ୧୫୦ ପରିବାର।

76

କନକ ବ୍ୟୁରୋ: ସେହିଠି ମଣିଷ, ସେହିଠି ପଶୁ ।ଏଠି ଗୋଟିଏ ଘାଟରେ ମଣିଷ ଆଉ ଘୁଷୁରୀ । ପଶୁ ଟିଏ ବି ନିଜ ଜୀବନ ବଞ୍ଚାଇବା ଏଠାକୁ ଆସୁଛି, ଆଉ ଏ ମଣିଷ ବି ସମାନ କାମରେ ଏହିନାଳ ଉପରେ ନିର୍ଭର କରୁଛି । ଏ ଚିତ୍ର ହେଉଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ତୋଡାଗାଁର । ସମିଜ ନାଳ ଏହି ଗାଁର ଜୀବନରେଖା ପାଲଟିଛି । ଗାଁ ଲୋକେ ନିଜର ଦୈନନ୍ଦିନ ଜୀବନଯାପନ ପାଇଁ ଏହି ନାଳ ଉପରେ ହିଁ ଭରସା କରୁଛନ୍ତି । ୧୫୦ ପରିବାର ୫ ଶହରୁ ଅଧିକ ଲୋକ ଏହା ଉପରେ ନିର୍ଭରକରୁଛନ୍ତି । କେବଳ ମଣିଷ ନୁହେଁ ଏଠି ଘୁଷୁରୀ ମଧ୍ୟ ନାଳର ହିତାଧୀକାରୀ! ବ୍ଲକ ଠାରୁ ମାତ୍ର ୧୦ କିମି ଦୂରରେ ଜାତୀୟ ରାଜପଥକୁ ଲାଗିରହିଛି ଏହି ଗାଁ । ହେଲେ ଏଠି ଲୋକେ ପାନୀୟ ଜଳ ଟିକେ ପାଉନାହାନ୍ତି ।

ତୋଡାଗାଁରେ ରୋଲେକେମ୍ପ ବସ୍ତି ଦେଇ ୫୨୦ନଂ ଜାତୀୟ ରାଜପଥ ଯାଇଛି । ତେବେ ଜାତୀୟ ରାଜପଥ କଡରେ ଥିଲେ ବି ସରକାରଙ୍କ ବିଭିନ୍ନ ଯୋଜନାରୁ ଏମାନେ ବଞ୍ଚିତ ରହିଛନ୍ତି । ଟେନସା ଜିରୋ ପଏଣ୍ଟରୁ ବାହାରିଥିବା ସମିଜ ନାଳରେ ବିଭିନ୍ନ ଖଣିର ବର୍ଜ୍ୟବସ୍ତୁ ଓ କାଦୁଅ ମିଶା ପାଣି ବୋହିଯାଉଛି । ତେବେ ଗ୍ରାମବାସୀ ଏହି ନାଳର ପାଣିକୁ ନିଜର ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି । ଦୀର୍ଘ ୫୦ ବର୍ଷ ଧରି ଏହି ଗାଁର ଲୋକେ ଏଠି ରହୁଥିଲେ ବି ସେମାନଙ୍କ ପାଖରେ ଆଜିଯାଏ କୌଣସି ଯୋଜନା ପହଞ୍ଚିନାହିଁ । ଗାଁର ଲୋକେ ମଜୁରିଆ ଭାବେ କାମ କରି ଯାହାକିଛି ରୋଜଗାର କରି ଏଠାରେ ଚଳୁଛନ୍ତି ।

ଜିଲ୍ଲା ଖଣିଜ ପାଣ୍ଠିକୁ କୋଇଡା ଅଞ୍ଚଳରୁ କୋଟି କୋଟି ଟଙ୍କା ଯାଉଛି । କିନ୍ତୁ, ଏଠିକାର ଲୋକଙ୍କୁ ସାମାନ୍ୟ ପିଇବା ପାଣିମୁନ୍ଦେ ମଧ୍ୟ ମିଳୁନାହିଁ । ଆଦିବାସୀଙ୍କ ବିକାଶ ପାଇଁ ଅନେକ ସରକାରୀ ସଂସ୍ଥା କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ଏହି ଗାଁ ଦୃଷ୍ଟି ଆଢୁଆଳରେ ରହିବା ବିଡମ୍ବନାର ବିଷୟ ।