ଏଲଏସି ନିକଟରେ ଗତିବିଧି ଜୋରଦାର କଲା ଭାରତୀୟ ସେନା । ଗଲୱାନ ଘାଟିରେ ଘୋଡ଼ା ଓ ଖଚର ଚଢ଼ି ସର୍ଭିଲାନ୍ସ କଲେ ଯବାନ

75

କନକ ବ୍ୟୁରୋ : ଆକ୍ସନ ମୋଡରେ ଭାରତୀୟ ସେନା । ଗଲୱାନ ଘାଟିରେ ବଢିଲା ଗତିବିଧି । ଭାରତୀୟ ସେନାର ଗତିବିଧି ଏବେ ଜୋରଦାର ହୋଇଛି । ପିଏଲଏ ଗତିବିଧିକୁ ଦେଖି ସଜାଗ ହୋଇଛି ଭାରତୀୟ ସେନା । ନିୟନ୍ତ୍ରଣ ରେଖା ଏଲଏସି ନିକଟରେ ଘୋଡ଼ା ଓ ଖଚର ଚଢ଼ି ଗଲୱାନ ଘାଟିର ସ୍ଥିତି ସର୍ଭେ କରୁଛନ୍ତି ଭାରତୀୟ ସେନା । ସେହିଭଳି ପ୍ୟାଙ୍ଗଙ୍ଗ ଉପତ୍ୟାକା ନିକଟରେ ମଧ୍ୟ ଭାରତୀୟ ସେନା ସଜାଗ ରହିଛି ।

ଭାରତୀୟ ସେନା ପକ୍ଷରୁ ପୂର୍ବରୁ କିଛି ଫଟୋ ଜାରି କରାଯାଇଥିଲା । ଯେଉଁଥିରେ ଭାରତୀୟ ସେନା କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଥିଲା । କେଉଁ ଅଞ୍ଚଳରେ ଏହି କ୍ରିକେଟ ଖେଳ ହେଉଥିଲା ତାହା ସେନା ପକ୍ଷରୁ ସ୍ପଷ୍ଟ କରାଯାଇନି । ତେବେ ଏହା ୧୪ନମ୍ବର ପାଟ୍ରୋଲିଂ ପଏଣ୍ଟ ଠାରୁ ୪କିଲେମିଟର ଦୂରରେ ବୋଲି ଜଣାପଡୁଛି । ଯେଉଁ ସ୍ଥାନରେ ୨୦୨୦ରେ ଭାରତ–ଚୀନ୍ ସେନା ମଧ୍ୟରେ ବିବାଦ ଦେଖାଦେଇଥିଲା । ଚୀନ୍ ବିଶ୍ୱାସଘାତ କରି ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୨୦ଜଣ ଯବାନ ସହିଦ ହୋଇଯାଇଥିଲେ । ବିଳମ୍ବରେ ହେଲେ ବି ଚୀନ୍ ପକ୍ଷରୁ ଘଟଣାକୁ ସ୍ୱୀକାର କରିବା ସହ ତାରି ମଧ୍ୟ ୫ ଯବାନଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଥିଲା ।

୨୦୨୦ରେ ହୋଇଥିବା ବିବାଦ ପରଠାରୁ ଚୀନ୍ ସେନାର ଗତିବିଧ ଉପରେ କଡା ନଜର ରଖିଛି ଭାରତ । ଯେଭଳି ପୁନର୍ବାର ସ୍ଥିତି ନବିଗିଡିବ ସେଥିପ୍ରତି ଭାରତୀୟ ସେନା ସଜାଗ ରହିଛି । ତେବେ ଦିଲ୍ଲୀରେ ଏବେ ଜି-୨୦ ସମ୍ମିଳନୀ କାର୍ଯ୍ୟକ୍ରମ ଚାଲିଛି । ନିକଟରେ ଚୀନ୍ ବୈଦେଶିକ ମନ୍ତ୍ରୀ ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସାକ୍ଷାତ ହୋଇଛି । ଆଉ ଏହାରି ଭିତରେ ଭାରତୀୟ ସେନା ଏଲଏସି ଠାରେ ନିଜର ଗତିବିଧି ଜୋରଦାର କରିଛି । ଭାରତୀୟ ସେନାର ଯବାନମାନେ ଏଲଏସିର ଆଖପାଖ ଅଞ୍ଚଳରେ ଘୋଡ଼ା ଓ ଖଚର ଚଢ଼ି ସ୍ଥିତିର ସର୍ଭେ କରିଛନ୍ତି ।