ଯୁଦ୍ଧ ଭିତରେ ବଳବାନ ହେଉଛି କି ୟୁକ୍ରେନ?ସୀମା ସୁରକ୍ଷା ବଢ଼ାଇବାକୁ ନିର୍ଦ୍ଦେଶ ଦେଲେ ପୁଟିନ

95

କନକ ବ୍ୟୁରୋ : ମଙ୍ଗଳବାର ରାତିରେ ଥରି ଉଠିଛି ରୁଷର ରାଜଧାନୀ ମସ୍କୋ । ରଏଟର୍ସର ସୂଚନା ଅନୁସାରେ ୟୁକ୍ରେନ ଦକ୍ଷିଣ ରୁଷ କ୍ଷେତ୍ରର ଜନବହୁଳ ଅଞ୍ଚଳକୁ ଟାର୍ଗେଟ କରି ରାତି ତମାମ ଆକ୍ରମଣ କରିଛି ୟୁକ୍ରେନ । କଡ଼ା ସୁରକ୍ଷା ବଳୟ ଭିତରେ ଥିବା ମସ୍କୋର ଦୁଇଟି ଜନବହୁଳ ସ୍ଥାନ କ୍ରାସ୍ନୋଡାର ଏବଂ ଆଦିଗିଆରେ ଡ୍ରୋନରେ ଆକ୍ରମଣ କରାଯାଇଛି । ସେପଟେ କ୍ରେମଲିନ ୟୁକ୍ରେନର ଆକ୍ରମଣକୁ ବିଫଳ କରିଥିବା ମଧ୍ୟ ଦାବି କରୁଛି । ତେବେ ପାଲଟା ଆକ୍ରମଣ କରି ୟୁକ୍ରେନର ଡ୍ରୋନକୁ ଧ୍ୱଂସ କରିଥିବା କ୍ରେମଲିନ କହୁଛି । ରୁଷ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ କିଛି ଫଟୋ ଜାରି କରାଯାଇଛି । ଏହି ଫଟୋ ଗୁଡିକ ୟୁକ୍ରେନର ଡ୍ରୋନର ବୋଲି କ୍ରେମଲିନ ଦାବି କରୁଛି । ମସ୍କୋଠୁ ୬୨ କିଲୋମିଟର ଦୂରରେ ଥିବା ଗୁଭାସ୍ତୋରେ ନଷ୍ଟ ହୋଇ ପଡି ରହିଛି ୟୁକ୍ରେନ ଡ୍ରୋନ । ଏହା ୟୁଜେ-୨୨ ଏୟାରବର୍ଣ୍ଣ ଓ ୟୁକ୍ରେନର ନିଜସ୍ୱ ନିର୍ମିତ ଡ୍ରୋନ ବୋଲି କ୍ରେମଲିନ କହିଛି ।

ଘଟଣାପରେ ନିଜର ଗୁଇନ୍ଦା ବିଭାଗକୁ ଆଲର୍ଟ ରଖିବା ସହ ସୁରକ୍ଷାକୁ ଅଧିକ କଡ଼ାକଡ଼ି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ପୁଟିନ । ଏତେ କଡ଼ା ସୁରକ୍ଷା ଭିତରେ ଥିବା ମସ୍କୋ ଭିତରେ ୟୁକ୍ରେନର ଦୁଇଟି ଡ୍ରୋନ ପ୍ରବେଶ କରି ଆକ୍ରମଣ କରିବା ପରେ ରୁଷ ରାଷ୍ଟ୍ରପତିଙ୍କ ଅକଲ ଗୁଡୁମ ହୋଇଛି ।

ଡ୍ରୋନରେ ଆକ୍ରମଣ ସହ ୟୁକ୍ରେନ ମସ୍କୋର ସାଇବର ଆକ୍ରମଣ କରିଥିବା ଅଭିଯୋଗ କରିଛି । ଟିଭି,ରେଡିଓ ଓ ବିମାନବନ୍ଦରରେ ହ୍ୟାକର ଟାର୍ଗେଟ କରିଥିବା ରୁଷ ଦାବି କରିଛି । ଯୁଦ୍ଧର ପ୍ରଥମ ଦିନରୁ ୟୁକ୍ରେନକୁ ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ମିଳୁଛି ସାମାରିକ ସହଯୋଗ ଓ ସମର୍ଥନ । ଏହା ଭିତରେ ରୁଷ ପରି ଶକ୍ତିଶାଳୀ ରାଷ୍ଟ୍ରର ବର୍ଷେ ହେବ ମୁକାବିଲା କରୁଛି ୟୁକ୍ରେନ ।