ଅବସର ପରେ ମନ୍ଦିର ତିଆରି ସହ ଗଛ ଲଗାଇବା ସଉକ । ଟାଙ୍ଗରା ଭୂଇଁକୁ ସବୁଜିମା କରିଛନ୍ତି ଆଠଗଡ ଧୂରୁଷିଆ ଗାଁର ବ୍ରଜବନ୍ଧୁ ଲେଙ୍କା

71

କନକ ବ୍ୟୁରୋ: ଚାକିରିରୁ ଅବସର ନେବା ପରେ ଭୁବନେଶ୍ୱରରୁ ସମସ୍ତ ଜାଗାବାଡି ବିକ୍ରି କରିଦେଲେ । ପ୍ରତିଶ୍ରୁତି ବଦ୍ଧ ହେଲେ ଜୀବନ ସାରା ଲାଗିବେ ଭଗବାନଙ୍କ ସେବାରେ । ଆଉ ସଞ୍ଚିତ ଅର୍ଥକୁ ମନ୍ଦିର ତିଆରିରେ ଖର୍ଚ୍ଚ କରିବେ । କେବଳ ମନ୍ଦିର ତିଆରି ନୁହେଁ ବିଭିନ୍ନ ପ୍ରକାରର ଗଛ ଲଗାଇ ତିଆରି କରୁଛନ୍ତି ସବୁଜ ବନାନୀ । ଆଠଗଡ ଧୂରୁଷିଆ ଗାଁର ବ୍ରଜବନ୍ଧୁ ଲେଙ୍କା । ମନ୍ଦିର ତିଆରି ସହ ଟାଙ୍ଗରା ଭୂଇଁ ବି କରୁଛନ୍ତି ଶସ୍ୟ ଶ୍ୟାମଳା । ପୂର୍ବରୁ ଯେଉଁଠି ଟାଙ୍ଗରା ପଡିଆ ଥିଲା ସେହି ଜାଗାରେ ଭଳିକିଭଳି ଗଛ ଲଗାଇ ଫୁଲ ଫଳରେ ଭର୍ତି କରିଛନ୍ତି । ସରକାରୀ ଚାକିରିରୁ ଅବସର ନେବା ପରେ ୮୪ ବର୍ଷ ବୟସରେ ବି ଥକି ପଡିନାହାନ୍ତି ବ୍ରଜବନ୍ଧୁ । ପ୍ରତିଦିନ ହାତରେ ଖଣ୍ଡିଏ କୋଦାଳ ଧରି ଘରୁ ବାହାରି ପଡନ୍ତି । ଆଉ ବୁଲି ବୁଲି ବିଭିନ୍ନ ସ୍ଥାନରେ ଗଛ ସବୁ ଲଗାଇଥାନ୍ତି । ଆଉ ଗଛ ଜଙ୍ଗଲ ଘେରା ସ୍ଥାନରେ ତିଆରି କରୁଛନ୍ତି ମନ୍ଦିର । ଧୂରୁଷିଆ ପାହାଡରେ ତିଆରି ହୋଇଥିବା ହନୁମାନ ମନ୍ଦିର ଏବେ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ସହି ମନ୍ଦିର ପାଖରେ ଗଣେଷ ମନ୍ଦିରରୁ ନେଇ ଶିବ ମନ୍ଦିର, ନବଗ୍ରହ ମନ୍ଦିର, ପାନ୍ଥଶାଳାରୁ ନେଇ ନାଟ ମଣ୍ଡପ ଆଦି ତିଆରି କରାଇଛନ୍ତି । ତା ସହିତ ୪ଶହରୁ ଅଧିକ ବିଭିନ୍ନ ପ୍ରକାରର ଗଛ ମଧ୍ୟ ଲଗାଇଛନ୍ତି । ଏହି ସ୍ଥାନରେ ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ପାଳନ ହେଉଥିବା ବେଳେ ଲାଗିଥାଏ ଲୋକଙ୍କ ଗହଳି । ଏହି କାମରେ ଜଗବନ୍ଧୁ ନିଜକୁ ବ୍ରତୀ ରଖିଥିବା ବେଳେ ଭଗବାନଙ୍କ ସେବାରେ ତାଙ୍କ ଜୀବନ ଉତ୍ସର୍ଗୀକୃତ ବୋଲି କୁହନ୍ତି ।