କେନ୍ଦୁଝରରେ ଚାଞ୍ଚଲ୍ୟ । ମଲା ମଇଁଷିରେ ବିଷ ଦେଇ ମହାବଳକୁ ହତ୍ୟା

1,022

କନକ ବ୍ୟୁରୋ : ମଲା ମଇଁଷିରେ ବିଷ ଦେଇ ମହାବଳକୁ ହତ୍ୟା । କେନ୍ଦୁଝର ଜିଲ୍ଲାରେ ଏବେ ବାଘ ହତ୍ୟାକୁ ନେଇ ଚାଞ୍ଚଲ୍ୟ । ଗତ କିଛିଦିନ ତଳେ କପ୍ତିପଦା ଜଙ୍ଗଲରେ ଫାଶ ପକାଇ କଲରାପତରିଆ ବାଘ ହତ୍ୟା କରାଯାଇଥିଲା । ଏବେ ଦେଓଗାଁ ରେଞ୍ଜ ରେବଣା ପଳାଶପାଳ ଜଙ୍ଗଲରେ ମହାବଳ ବାଘକୁ ହତ୍ୟା କରାଯାଇଥିବା ବନ ବିଭାଗର ଚିନ୍ତା ବଢାଇ ଦେଇଛି । ପ୍ରଥମଥର ଏକ ମହାବଳ ବାଘକୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ବନ ବିଭାଗ ।

ରେବଣା ପଳାଶପାଳ ପଂଚାୟତର ବୁଧପଡା ଗାଁରେ ଏକ ବାଘ ଚମଡା ଥିବା କୌଣସି ସୂତ୍ରରୁ ସୂଚନା ପାଇଥିଲେ କେନ୍ଦୁଝର ବନଖଣ୍ଡ କର୍ମଚାରୀ । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ଗାଁରେ ଚଢାଉ କରାଯାଇଥିଲା । ଗାଁର ୩୦ ବର୍ଷୀୟ ବୁଟୁ ମହାକୁଡଙ୍କ ପାଖରୁ ଏକ ମହାବଳ ବାଘର ଚମଡା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି ।

ତେବେ ମହାବଳଟିକୁ କେମିତି ମାରିଲେ ସେନେଇ ବନ ବିଭାଗକୁ ବୁଟୁ କହିଥିବା କାହାଣୀଟି ବେଶ ରୋଚକ । ବୁଟୁଙ୍କ କହିବା ହେଲା ରେବଣା ପଳାଶପାଳ ଜଙ୍ଗଲରେ ତାଙ୍କ ବାପା ନିୟମିତ ମଇଁଷି ଚରାଇବାକୁ ଯାଆନ୍ତି । ଦେଢମାସ ତଳେ ହଠାତ ତାଙ୍କର ଏକ ମଇଁଷିକୁ କେହି ଖାଇ ଦେଇଥିବା ଜାଣିବା ପରେ ବାଘ ଖାଇଥିବା ସନ୍ଦେହ କରିଥିଲେ ।

କୌଣସି ପଶୁକୁ ମାରିବା ପରେ ୭ରୁ ୮ ଦିନ ଯାଏଁ ବାଘ ମାଂସ ଖାଇଥାଏ । ତେଣୁ ବୁଟୁଙ୍କ ବାପା ମଲା ମଇଁଷିରେ ବିଷ ଦେଇଥିଲେ । ବାଘ ଏହାକୁ ଖାଇବା ପରେ ତାର ମୃତ୍ୟୁ ହୋଇଯାଇଥିଲା । ପରେ ବାଘର ଚମଡା ଛାଲି ତାକୁ ଶୁଖାଇ ରଖିଥିଲେ । ଏହାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିବାବେଳେ ବନ ବିଭାଗ ହାତରେ ଧରା ପଡିଛନ୍ତି । ତେବେ ବୁଟୁଙ୍କ କାହାଣୀ ବନ ବିଭାଗକୁ ସନ୍ତୁଷ୍ଟ କରିପାରି ନାହିଁ । ଏହା ପଛରେ କିଛି ରାକେଟ କାମ କରୁଥିବା ସନ୍ଦେହରେ ବନ ବିଭାଗ ଅଧିକ ଛାନଭିନ ଚଳାଇଛି ।