ଜେଲରେ କେମିତି କଟିଲା ସିଦ୍ଧୁଙ୍କ ପ୍ରଥମ ରାତି । ଜାଣନ୍ତୁ କିଛି ଖାସ୍ କଥା

731

କନକ ବ୍ୟୁରୋ: ୧୯୮୮ ରୋଡରେଜ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧ ବର୍ଷ ଜେଲ ଦଣ୍ଡ ଶୁଣାଣୀ ହେବା ପରେ ଶୁକ୍ରବାର ପଟିଆଲା କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ୍ ସିଂ ସିଦ୍ଧୁ । ଏହାପରେ ତାଙ୍କୁ ପଟିଆଲା ଜେଲର ୱାର୍ଡ ନମ୍ବର ୧୦ରେ ରଖାଯାଇଛି । ଜେଲରେ ସିଦ୍ଧୁଙ୍କ ପ୍ରଥମ ରାତି ଅତି ଅସହାୟ ଭାବେ କଟିଥିବା ଜଣାପଡିଛି । ସିଦ୍ଧୁଙ୍କ ଆଖିକୁ ନିଦ ଆସିନଥିଲା । କଡ ଲେଉଟାଇ ରାତି ପାହିଥିଲା । ରାତିରେ କିଛି ବି ଖାଇବାକୁ ମନା କରିଥିଲେ । କେବଳ କିଛି ମେଡିସିନ୍ ଖାଇଥିଲେ ।

ପଟିଆଲା ଜେଲ ପ୍ରଶାସନ ତାଙ୍କୁ ଅନ୍ୟ କଏଦୀଙ୍କ ପରି ଏକ ନମ୍ବର ଦେଇଛନ୍ତି । ଜେଲରେ ରହୁଥିବା କଏଦୀଙ୍କୁ ସେମାନଙ୍କର ନାଁ ନୁହେଁ ବରଂ କଏଦୀ ନମ୍ବରରୁ ହିଁ ଚିହ୍ନଟ କରାଯାଏ । ଜେଲରେ ପହଞ୍ଚିବା ମାତ୍ରେ ସିଦ୍ଧୁଙ୍କୁ କଏଦୀ ନମ୍ବର ୨୪୧୩୮୩ ମିଳିଛି । ଗଣମାଧ୍ୟମ ରିପୋର୍ଟ ମୁତାବକ, ତାଙ୍କୁ ୧୦/୧୫ ଫୁଟର କ୍ୟାବିନ୍ ମିଳିଛି । ଏହା ମଧ୍ୟରେ ରହିଛି ଗୋଟିଏ ଚୌକି, ଗୋଟିଏ ଆଲମାରୀ, କମ୍ବଳ, ଛୋଟ ବେଡ୍, ମଶାରୀ, ହଳେ ଜୋତା, ଚାରି ହଳ ପାଇଜାମା କୁର୍ତ୍ତା ଏହାସହ ତାଙ୍କୁ ନିଜର ଭାବ ପରିପ୍ରକାଶ ପାଇଛି ପେନ୍ ,ପେପର ମଧ୍ୟ ଦିଆଯାଇଛି । ପ୍ରଥମ ତିନି ମାସ ଜେଲ ମଧ୍ୟରେ ତାଙ୍କର ଟ୍ରେନିଙ୍ଗ ଚାଲିବ । ଏହି ସମୟରେ ତାଙ୍କୁ କିଛି ଟଙ୍କା ମିଳିବ ନାହିଁ । ଏହାପରେ ଯାଇ ତାଙ୍କୁ କୌଣସି କୁଶଳୀ ବା ଅଣକୁଶଳୀ କାର୍ଯ୍ୟରେ ଲଗାଯିବ । ଏବଂ ଏଥିପାଇଁ ତାଙ୍କୁ ଦିନକୁ ୩୦ରୁ ୯୦ ଟଙ୍କା ପ୍ରାପ୍ୟ ଦିଆଯିବ ବୋଲି ଜଣାପଡିଛି ।

ଦୀର୍ଘ ୩୪ ବର୍ଷ ପରେ ସିଦ୍ଧୁଙ୍କୁ ଦଣ୍ଡ ଶୁଣାଯାଇଛି । ଶୁକ୍ରବାର ସେ କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଏହାପରେ ତାଙ୍କୁ ପଟିୟାଲା ସେଣ୍ଟ୍ରାଲ ଜେଲ ପଠାଇ ଦିଆଯାଇଥିଲା । ସିଦ୍ଧୁ ଏବେ ଏଠାରେ କଏଦୀ ନମ୍ବର ୨୪୧୩୮୩ ଭାବେ ଭାବେ ୧ ବର୍ଷର ଜେଲ ଦଣ୍ଡ ଭୋଗିବେ ।