ଦିନେ କଟକଣା ଭିତରେ ବଞ୍ଚିଥିଲେ । ଆଜି ବିଶ୍ୱ ଚାମ୍ପିୟନ୍ ନିଖତ୍ ଜରିନ୍

125

କନକ ବ୍ୟୁରୋ: ବକ୍ସିଙ୍ଗରେ ସାରା ବିଶ୍ୱରେ ଭାରତର ଟେକ ରଖିଛନ୍ତି ତେଲେଙ୍ଗାନା ଲଳନା ନିଖତ ଜରିନ୍ । ସେ ୨୦୨୨ ବର୍ଷର ବକ୍ସିଂ ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି । ଥାଇଲ୍ୟାଣ୍ଡର ଜିତପୋଙ୍ଗ ଜୁଟାମେସଙ୍କୁ ୫-୦ ରାଉଣ୍ଡରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନିଖତ୍ । ମହିଳା ବକ୍ସିଙ୍ଗରେ ବିଶ୍ୱ ସ୍ତରରେ ସ୍ୱର୍ଣର୍ ଜିତିବାରେ ନିଖତ୍ ହେଉଛି ପଞ୍ଚମ ଭାରତୀୟ ମହିଳା ବକ୍ସର ।

 ନିଖତଙ୍କ ଏହି ସଫଳତା ପଛର କାହାଣୀ ସରଳ ନୁହେଁ । ଯାହା ତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ପାଇଁ ଥିଲା ଅନେକ ସାମାଜିକ କଟକଣା । ଏପରିକି ତାଙ୍କୁ ଜିନ୍ସ ଓ ସର୍ଟ୍ସ ପିନ୍ଧିବାକୁ ବନ୍ଧୁପରିଜନ ବାରଣ କରୁଥିଲେ । ହେଲେ କଟକଣା ଭିତରେ ବି ନିଖତଙ୍କ ବାପାଙ୍କ ପ୍ରେରଣା ତାଙ୍କୁ ଆଜି ସଫଳତା ଯାଏଁ ପହଞ୍ଚିବାର ବାଟ ଦେଖାଇଛି ।
ନିଖତ ଜରିନଙ୍କ ବାପା ମୋହମ୍ମଦ ଜଲିଲ ନିଜେ ଜଣେ ଫୁଟବଲ ଖେଳାଳି । ସେ କ୍ରିକେଟ ମଧ୍ୟ ଭଲ ଖେଳନ୍ତି । ନିଖତ ୪ ଭଉଣୀ ହୋଇଥିବାବେଳେ ନିଜର କୌଣସି ସନ୍ତାନକୁ ଖେଳ କ୍ଷେତ୍ରରେ ଦେଖିବାକୁ ଇଚ୍ଛା କରିଥିଲେ ବାପା ମୋହମ୍ମଦ । ଏଥିପାଇଁ ସେ ତୃତୀୟ ଝିଅ ନିଖତଙ୍କୁ ବାଛିଥିଲେ । ଆଉ ବାପାଙ୍କ ଆଶାରେ ରଙ୍ଗ ଆଣିଦେଇଥିଲେ ନିଖତ ।

ମାତ୍ର ୧୪ ବର୍ଷ ବୟସରୁ ‘ୱାର୍ଲ୍ଡ ୟୁଥ୍ ବକ୍ସିଙ୍ଗ ଚାମ୍ପିଅନ୍’ ରିଙ୍ଗରେ ଉଭା ହୋଇଥିଲେ ନିଖତ । ଏହାପରେ ଆଉ ପଛକୁ ଚାହିଁ ନାହାଁନ୍ତି । ଏହାପରେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢିଚାଲିଲେ । ଶେଷରେ ଶୁକ୍ରବାର ମ୍ୟାଚରେ ପ୍ରଥମ ସ୍ଥାନରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ବିଶ୍ୱ ବକ୍ସିଂ ଚାମ୍ପିଅନ୍ ହୋଇପାରିଛନ୍ତି ନିଖତ୍ ଜରିନ୍ । ଏଥିପାଇଁ ତାଙ୍କୁ ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏଥିପାଇଁ ସେ ୫ ବର୍ଷ ପୂର୍ବରୁ ପ୍ରସ୍ତୁତି କରିସାରିଥିଲେ ବି କାନ୍ଦରେ ଆଘାତ ଯୋଗୁଁ ରିଙ୍ଗକୁ ଓହ୍ଲାଇପାରିନଥିଲେ ।