ଚର୍ଚ୍ଚିତ ନେତାଙ୍କ ନାମାଙ୍କନ: କଟକରେ ସନ୍ତୃପ୍ତ ମିଶ୍ର, ଭର୍ତ୍ତୃହରି ମହତାବ ଓ ସୋଫିଆ ଫିର୍ଦ୍ଦୋଷ ଭରିଲେ ନାମାଙ୍କନ

305

କନକ ବ୍ୟୁରୋ: ଜୋରଦାର ଲଢ଼େଇ ପାଇଁ ଯୋଦ୍ଧା ପ୍ରସ୍ତୁତ । ଯଦିଓ ଟିକେଟ ଘୋଷଣା ପରେ ମଇଦାନକୁ ଓହ୍ଳାଇ ସାରିଛନ୍ତି, ନିର୍ବାଚନୀ ପ୍ରକ୍ରିୟାରେ ସାମିଲ ହୋଇ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଛନ୍ତି । କଟକରେ ବିଜେପିରୁ ଭର୍ତୃହରି, ସାଂସଦ ପ୍ରାର୍ଥୀ ଭାବେ, କଂଗ୍ରେସରୁ ସୋଫିଆ, ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଝାରସୁଗୁଡ଼ାରୁ ଦୀପାଳି ଦାସ, ଭୁବନେଶ୍ୱର ଏକାମ୍ରରୁ ଅଶୋକ ପଣ୍ଡା ଓ ବାବୁ ସିଂଙ୍କ ଭଳି ବଡ଼ ଚେହେରା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରୀୟାରେ ସାମିଲ ହୋଇଛନ୍ତି ।

ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛନ୍ତି ନେତା । ଦଳ-ବଳ ନେଇ ନାମାଙ୍କନ ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳର ନେତା । ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଦଳୀୟ କର୍ମୀଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିଥିବା ବେଳେ ସମର୍ଥକଙ୍କୁ ନେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଟକ ଚୌଦ୍ୱାର ବିଧାୟକ ପ୍ରାର୍ଥୀ ସୌଭିକ୍ ବିଶ୍ୱାଳ । ସେହିପରି କଟକ ବିଜେପି ଲୋକସଭା ପ୍ରାର୍ଥୀ ଭର୍ତୃହରି ମହତାବ ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଦାଖଲ କରିଥିବା ବେଳେ ବାରବାଟୀ କଟକର କଂଗ୍ରେସ ପ୍ରାର୍ଥୀ ନିରାଡମ୍ବର ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଏପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି ନାମାଙ୍କର ରାଜନୀତିର ଚିତ୍ର । ବିଜେପିର ଭୁବନେଶ୍ୱର ଉତର ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର, ଏକାମ୍ର ପ୍ରାର୍ଥୀ ବାବୁ ସିଂ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡିର ଏକାମ୍ର ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି । ସେପଟେ ଭୁବନେଶ୍ୱର ଲୋକସଭା ଆସନରେ ଯାଉଥିବା ଜଟଣୀ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନା ମଧ୍ୟ ଏଡିମ୍ଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।

ଏହାରି ଭିତରେ ପିପିଲିର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ, ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ସମ୍ବଲପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଶକ୍ତି ପ୍ରଦର୍ଶନ କରିବା ସହ ସମ୍ବଲପୁରରେ ନାମାଙ୍କନ ଭରିଛନ୍ତି । ସେପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଆନ୍ଦନପୁର ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।