ମନୀଷଙ୍କୁ ଗିରଫ କରିପାରନ୍ତି, ମୋତେ ବି ଗିରଫ କରିପାରନ୍ତି । ଗୁଜୁରାଟରୁ ବିଜେପିକୁ ଟାର୍ଗେଟ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

248

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ନେଇ ବଡ ବୟାନ ଦେଇଛନ୍ତି । ସିବିଆଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଚରାଉଚରା କରିବା ପରେ କେଜ୍ରିୱାଲ ଏବେ ବିଜେପି ଉପରେ ବର୍ଷିଛନ୍ତି । କେଜ୍ରିୱାଲ କହିଛନ୍ତି, ୨ରୁ ୪ ଦିନ ଭିତରେ ମନୀଷ ସିସୋଦିଆଙ୍କୁ ଗିରଫ କରିପାରନ୍ତି । ଏପରିକି ମୋତେ ମଧ୍ୟ ଗିରଫ କରିପାରନ୍ତି ।

ଏବେ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି । ଗୁଜୁରାଟ ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ । ଏପରିକି ଦିଲ୍ଲୀ ଭଳି ଗୁଜୁରାଟରେ ମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ । ଏହାସହ କେଜ୍ରିୱାଲ କହିଛନ୍ତି, ବିଶ୍ୱର ସବୁଠୁ ଭଲ ଶିକ୍ଷାମନ୍ତ୍ରୀଙ୍କୁ ମୁଁ ଆପଣଙ୍କ ପାଖକୁ ଆଣିଛି । ଯାହା ୭୦ ବର୍ଷ ମଧ୍ୟରେ ହୋଇନଥିଲା ତାହା ମାତ୍ର ୫ ବର୍ଷରେ କରି ଦେଖାଇଛି ଆପ୍ ସରକାର । ଦିଲ୍ଲୀରେ ମାଗଣା ଶିକ୍ଷା, ସ୍ମାର୍ଟ କ୍ଲାସର ବ୍ୟବସ୍ଥାକୁ ସାମ୍ନାକୁ ଆଣି ବିଶ୍ୱସ୍ତରରେ ପ୍ରଂଶସିତ ହୋଇଛନ୍ତି ସିସୋଦିଆ । ଏପିରିକି ଅନ୍ୟ ଦେଶର ଲୋକେ ଏବେ ଦିଲ୍ଲୀ ଶିକ୍ଷା ମଡେଲକୁ ଆପଣାଇବାକୁ ଚାହିଁଛନ୍ତି । ଯଦି ଆପଣ ବିଜେପିକୁ ପୁଣିଥରେ ଶାସନ କ୍ଷମତାରେ ବସାଇବେ ତେବେ ଆଗାମୀ ୫ ବର୍ଷ ଖରାପ ହୋଇଯିବ ।

ଏହାବାଦ୍ ଗୁଜୁରାଟରେ କ୍ଷମତାକୁ ଆପ୍ ଆସିଲେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ବୋଲି କହିଛନ୍ତି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ । କେବଳ ଏତିକି ନୁହେଁ ସିବିଆଇ ଚଢାଉକୁ ନେଇ ମନୀଷ କହିଛନ୍ତି, ମୋତ ବିଜେପିରୁ ସନ୍ଦେଶ ଆସିଥିଲା କି ଆପ୍ ସରକାରକୁ ଭାଙ୍ଗି ଆମ ଦଳକୁ ଚାଲିଆସ । ଇଡି ଓ ସିବିଆଇ କେସ୍ ବନ୍ଦ କରିଦେବୁ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବୁ । ତେବେ ଏହାର ଜବାବରେ ସିସୋଦିଆ କହିଥିଲେ, ଆମେ ମହାରାଣା ପ୍ରତାପଙ୍କର ବଂଶଜ । ମୁଣ୍ଡ କାଟିଦେବୁ କିନ୍ତୁ ଭଷ୍ଟ୍ରାଚାରୀ କିମ୍ବା ଷଡଯନ୍ତ୍ରକାରୀଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବୁ ନାହିଁ । ମୋ ବିରୋଧରେ ମିଛ ମାମଲା ହୋଇଛି । ଯାହା କରିବା କଥା କର । ଏହାସହ ଟ୍ୱିଟ୍ କରି ମନୀଷ ସିସୋଦିଆ କହିଛନ୍ତି, କୌଣସି ପଦକୁ ନେଇ ମୋ ମନରେ ଲୋଭ ନାହିଁ । ମୁଖ୍ୟମନ୍ତ୍ରୀ ପଦ ଲୋଭରେ ଦଳ ସହ ବେଇମାନି କରିପାରିବିନି । ଅରବିନ୍ଦ କେଜ୍ରିୱାଲ ମୋ ରାଜନୀତି ଗୁରୁ ତାଙ୍କ ସହ ବେଇମାନି କରିପାରିବିନି । ମୋର ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ନାହିଁ । ଦେଶର ପ୍ରତିଟି ପିଲାଙ୍କୁ ଭଲ ଶିକ୍ଷା ମିଳୁ, ଯାହାଦ୍ୱାରା ଭାରତ ଏକ ନମ୍ବର ଦେଶ ହୋଇ ଛିଡାହେବ । ଆଉ ପୂରା ଦେଶରେ ଏହି କାମ କେବଳ କେଜ୍ରିୱାଲ ହିଁ କରିପାରିବେ ।