ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ବୟାନ । ସଂସଦ ଭିତରେ ବିରୋଧୀଙ୍କୁ ଦେଖାଇଲେ ନାଲିଆଖି । କହିଲେ ଚୁପ ରୁହ, ନଚେତ ଘରେ ପହଁଚିବ ଇଡି

209

କନକ ବ୍ୟୁରୋ : ଗୁରୁବାର ଲୋକସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲ ଉପରେ ତର୍କ ଚାଲିଥିବାବେଳେ ବିରୋଧୀଙ୍କୁ ଧମକ ଦେବା ଆଳରେ ରୋକିଛନ୍ତି କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ । ବିଲ ପାରିତ ହେବା ପୂର୍ବରୁ ଏନେଇ ଲୋକସଭାରେ ଚର୍ଚ୍ଚା ଚାଲିଥିଲା । ଗୃହମନ୍ତ୍ରୀ ଅମିତ ଶାହା ବିଲ ଉପରେ ଚର୍ଚ୍ଚା କରିବା ପରେ ଆସିଥିଲେ ମୀନାକ୍ଷୀ ଲେଖି । ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରି ନିଜର ବିବୃତି ରଖିଥିଲେ । ଏହି ସମୟରେ ବିରୋଧୀ ହଟ୍ଟଗୋଳ କରୁଥିବାବେଳେ ମୀନାକ୍ଷୀ ଲେଖୀ ଯେଉଁଭଳି ଅନ୍ଦାଜରେ ସେମାନଙ୍କୁ ବିରୋଧ କରିଥିଲେ ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ବିରୋଧୀଙ୍କ ମୁହଁକୁ ଚୁପ କରିବାକୁ ଯାଇ ମୀନାକ୍ଷୀ ଲେଖୀ କହିଥିଲେ ଚୁପ ରୁହ ନଚେତ ତୁମ ଘରେ ଇଡି ପହଁଚିବ । ତେବେ ବିରୋଧୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ରୋକିବା ଅନ୍ଦାଜ ଯେତିକି ଚର୍ଚ୍ଚା ସାଉଁଟୁଛି ଆଗକୁ ତାଙ୍କ ପାଇଁ ସମସ୍ୟା ମଧ୍ୟ ଆଣିପାରେ ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନକୁ ନେଇ ସରକାରଙ୍କୁ ଘେରିଲେଣି ବିରୋଧୀ । ସରକାର ତଦନ୍ତକାରୀ ସଂସ୍ଥାମାନଙ୍କ ଦୁରୁପଯୋଗ କରୁଥିବା ବିରୋଧୀ ଅଭିଯୋଗ କରି ଆସୁଛନ୍ତି । ଏହା ଭିତରେ ମୀନାକ୍ଷୀ ଲେଖିଙ୍କ ଏଭଳି ବୟାନ ଦଳ ସମସ୍ୟା ଭିତରକୁ ଠେଲିପାରେ ।

ଯେବେଠୁ ବିଜେପି ସରକାରଙ୍କ ହାତକୁ ଶାସନ ଆସିଛି ସେବେଠୁ ବିରୋଧୀଙ୍କ ଏକ ଅଭିଯୋଗ ରୀତିମତ ଶୁଣିବାକୁ ମିଳୁଛି । ବିଜେପି ଶାସିତ ରାଜ୍ୟ ବ୍ୟତିତ ଅନ୍ୟ ରାଜ୍ୟମାନଙ୍କରେ ସରକାରଙ୍କ ଇସାରାରେ ଇଡି, ସିବିଆଇ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ଚଢାଉ କରାଯାଉଥିବା ବିରୋଧୀ କହୁଛନ୍ତି । ସରକାରଙ୍କ ବିରୋଧରେ ବୟାନ ଦେଲେ ତଦନ୍ତକାରୀ ସଂସ୍ଥା ରାଡ଼ାରରେ ସେମାନେ ଆସୁଥିବା ଅଭିଯୋଗ କରୁଛନ୍ତି ବିରୋଧୀ । ଏହା ଭିତରେ ସଂସଦ ଭିତରେ ଖୁଲ୍ଲମଖୁଲ୍ଲା କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବୟାନ ବିଜେପି ସରକାରଙ୍କ ପାଇଁ ଆଗକୁ ସମସ୍ୟା ଆଣିବା ସମ୍ଭାବନା ରହିଛି ।