ମୋଦୀ ସାଙ୍ଗିଆ ମାମଲାରେ ସୁପ୍ରିମ ରାୟ । ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ

115

କନକ ବ୍ୟୁରୋ : ଦୀର୍ଘ ୪ମାସର ଲଢ଼େଇ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି । ମୋଦୀ ସାଂଗିଆ ମାମଲାରେ ଗୁଜରାଟର ତଳକୋର୍ଟ ରାହୁଲଙ୍କୁ ଦେଇଥିବା ଦଣ୍ଡିବିଧାନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ମନ୍ତବ୍ୟକୁ ଅପମାନ ଜନକ ବୋଲି ଖଣ୍ଡପୀଠ କହିଥିଲେ ବି ସର୍ବାଧିକ ଦଣ୍ଡବିଧାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ରାହୁଲଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଏହାକୁ ସ୍ୱାଗତ କରିଛି କଂଗ୍ରେସ । ଏହା ସତ୍ୟ ଓ ଗଣତନ୍ତ୍ରର ବିଜୟ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଖୁସି ମନାଇଛନ୍ତି କଂଗ୍ରେସ ନେତା ଓ କର୍ମୀ ।

ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଖୁସିରେ ବିଭୋର ହୋଇଛନ୍ତି ନେତା ଓ କର୍ମୀ । ସତେ ଯେମିତି କେନ୍ଦ୍ରର ମୋଦୀ ସରକାର ବିରୋଧରେ ବଡ ବିଜୟ ଲାଭ କରିଛି କଂଗ୍ରେସ । ଆଉ ମିଠା ବାଂଟି ଉତ୍ସବ ମନାଇଛନ୍ତି ଦଳୀୟ ନେତା ଓ କର୍ମୀ ।

ମୋଦୀ ସାଂଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ତଳ କୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଗୁଜୁରାଟ ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ରାହୁଲ କରିଥିବା ଆବେଦନର ଶୁଣାଣି କରି ତିନି ଜଣିଆ ଖଣ୍ଡପୀଠ ଏହି ରୋକ୍ ଲଗାଇଛନ୍ତି । ବିଚାରପତି ବି.ଆର. ଗଭାଇ, ପି.ଏସ୍.ନରସିହ୍ମା ଓ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ । ଉଭୟପକ୍ଷରୁ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଛନ୍ତି,

– ଆବେଦନକାରୀ( ରାହୁଲ ଗାନ୍ଧୀ) ଦେଇଥିବା ମନ୍ତବ୍ୟ ନିଶ୍ଚିତ ଭାବରେ ଅପମାନ ଜନକ । ତେଣୁ ଆବେଦନକାରୀ ଭାଷଣଦେବାବେଳେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।
– ତଳ କୋର୍ଟ ରାହୁଲଙ୍କୁ ସେକ୍ସନ ୪୯୯ ଧାରାରେ ସର୍ବାଧିକ ଦଣ୍ଡାଦେଶ କରିଛନ୍ତି । ଗୋଟିଏ ଦିନ କମ୍ ଦଣ୍ଡ ଦେଇଥିଲେ ସଭ୍ୟପଦ ଯାଇନଥାନ୍ତା
– କିନ୍ତୁ ତଳକୋର୍ଟ ସର୍ବାଧିକ ଦଣ୍ଡାଦେଶ ପଛର କୌଣସି କାରଣ ଦର୍ଶାଇ ନାହାନ୍ତି
– ରାହୁଲଙ୍କ ସାର୍ବଜନୀନ ଜୀବନର ଅଧିକାର ପ୍ରଭାବିତ ହେବ
– ରାହୁଲଙ୍କୁ ପ୍ରତିନିଧି ବାଛୁଥିବା ଜନତାଙ୍କ ଅଧିକାର ବି ପ୍ରଭାବିତ ହେବ
– ରାହୁଲଙ୍କ ଆବେଦନର ଚୂଡାନ୍ତ ରାୟ ନ ଆସିବା ଯାଏଁ ଦଣ୍ଡାଦେଶ ଉପରେ ରହିତାଦେଶ ଜରୁରୀ

ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ ଏହାକୁ ସତ୍ୟର ବିଜୟ ବୋଲି କହିଛି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏହା ଭାରତର ସାଧାରଣ ଲୋକଙ୍କ ବିଜୟ । ଗଣତନ୍ତ୍ରର ବିଜୟ ।

୨୦୧୯ରେ କର୍ଣ୍ଣାଟକର ଏକ ନିର୍ବାଚନୀ ପ୍ରଚାରରେ ରାହୁଲ ଗାନ୍ଧୀ ନୀରବ ମୋଦୀ, ଲଳିତ ମୋଦୀଙ୍କ ଉଦାହରଣ ଦେଇ ସବୁ ମୋଦୀ ସାଂଗିଆଧାରୀମାନେ ଚୋର କାହିଁକି ବୋଲି ପ୍ରଶ୍ନ କରିଥିଲେ । ରାହୁଲଙ୍କ ଏଭଳି ଟିପଣୀ ବିରୋଧରେ ଗୁଜୁରାଟରେ ମାମଲା ରୁଜୁ କରିଥିଲେ ପୂର୍ଣ୍ଣେଶ ମୋଦୀ । ଆଉ ସେହି ମାମଲାର ଶୁଣାଣି କରି କୋର୍ଟ ରାହୁଲଙ୍କୁ ୨ବର୍ଷ ଦଣ୍ଡାଦେଶ ଦେଇଥିଲେ । ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦ ଯାଇଥିଲା । ଆଉ ତାପରେ ରାହୁଲ ତଳକୋର୍ଟର ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।