ହରିୟାଣା ହିଂସା ଭିତରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନୁହ ପ୍ରଶାସନ । ଜିଲ୍ଲାରେ ଥିବା ରୋହିଙ୍ଗ୍ୟା ବସ୍ତି ଉପରେ ଚାଲିଲା ବୁଲଡୋଜର

1,704

କନକ ବ୍ୟୁରୋ : ଶୁକ୍ରବାର ହରିୟାଣା ନୁହରେ ରହୁଥିବା ରୋହିଙ୍ଗ୍ୟା ମୁସଲିମଙ୍କ ଉପରେ ଚଡ଼କ ପଡିଥିଲା ଯେତେବେଳେ ସେମାନଙ୍କ ଘର ନିକଟର ସକାଳୁ ସକାଳୁ ପହଁଚିଥିଲା ସ୍ଥାନୀୟ ପ୍ରଶାସନ । ମାଇକ ଯୋଗେ ଘର ତୁରନ୍ତ ଖାଲି କରିବାକୁ କହି ପ୍ରଶାସନ ଚଳାଇଥିଲା ବୁଲଡୋଜର । କୋକୁଆ ଭୟ ଭିତରେ ଛ୍ରୁଆ ପିଲା ସାଥିରେ ନେଇ ଯିଏ ଯୁଆଡେ ପାଇଲେ ଚାଲିଗଲେ । ହାତରେ ଯେତିକି ଜିନିଷ ଧରିବା ସମ୍ଭବ ହେଲା, ସେତିକି ନେଇ ଘର ଛାଡି ଚାଲିଗଲେ ରୋହିଙ୍ଗ୍ୟା । ୪ ଘଂଟା ମଧ୍ୟରେ ମାଟିରେ ମିଶିଯାଇଥିଲା ରୋହିଙ୍ଗ୍ୟା ବସ୍ତି । ଅଭିଯୋଗ ହେଉଛି ହରିୟାଣାର ହିଂସା ପଛରେ ରୋହିଙ୍ଗ୍ୟାଙ୍କ ହାତ ରହିଛି । ପୁଲିସର ପ୍ରାଥମିକ ତଦନ୍ତ କହୁଛି ହିନ୍ଦୁ ମୁସଲିମ ମୁହାଁମୁହିଁ ଘଟଣାରେ ଏମାନଙ୍କ ହାତ ରହିଥିଲା । ଏହି ସହେନ୍ଦ ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୧୨-୧୩ ମସିହାରରୁ ବାଙ୍ଗଲାଦେଶରୁ ଆସି ଏମାନେ ଏଠାରେ ବସବାସ କରୁଥିଲେ । ତେବେ ଭଙ୍ଗାଯାଇଥିବା ଘର ଭିତରେ କିଛି ଅନୁପ୍ରବେଶକାରରୀଙ୍କ ଘର ମଧ୍ୟ ରହିଛି ।

ସେପଟେ ନୁହର ଏସପି ବରୁଣ ସିଂଘଲାଙ୍କ ବଦଳି କରାଯାଇଛି । ହିଂସା ସମୟରେ ସେ ଛୁଟିରେ ଥିବା ଘଟଣାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନୁହ ପରେ ଏବେ ଭିବାନୀ ଜିଲ୍ଳାର ଏସପି ଭାବେ ତାଙ୍କର ବଦଳି ହୋଇଛି । ସେପଟେ ବିରୋଧୀ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଜାଣିଶୁଣି ଏସପିଙ୍କୁ ଛୁଟି ଦେଇଥିଲେ ।

ସୋମବାରଠୁ ହରିୟାଣା ନୁହରେ ଦେଖିବାକୁ ମିଳିଥିଲା ଭୟଙ୍କର ଗୋଷ୍ଠୀ ସଂଘର୍ଷ । ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା କ୍ରମଶ ପୂରା ରାଜ୍ୟକୁ ବ୍ୟାପିସାରିଛି । ୭ଜଣଙ୍କ ମୃତ୍ୟୁ ଦେଢଶହର ଅଧିକ ଗିରଫ । ସେପଟେ ହରିୟାଣା ହିଂସାକୁ ନେଇ ସଡକଠୁ ସଂସଦ ସବୁଠି ବିଜେପି ସରକାରଙ୍କ ବିରୋଧରେ ପ୍ରତିବାଦ ଜାରି ରହିଛି । ନୁହ ସହ ପଲବଲ, ଫରୀଦାବାଦ, ଗୁରୁଗ୍ରାମରେ କଫ୍ୟୁ ବଳବତର ରହିଛି ।